ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ଘଟଣାରେ ପୁଣି ୧୪ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ରୋକ୍‌ ଲାଗିଛି। ବାର କାଉନ୍‌ସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାାନ ନିଆଯାଇଛି। ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ତୀବ୍ର ରୂପ ନେଲା ପରେ ସୋମବାର ୨୯ ଜଣ ଓକିଲଙ୍କ ଲାଇସେନ୍ସ ରୋକ୍‌ ଲାଗିଥିଲା। ଏଥି ସହିତ ମୋଟ ୪୩ ଜଣ ଓକିଲଙ୍କ ଲାଇସେନ୍ସ ଉପରେ ରୋକ୍‌ ଲାଗିଛି।

Advertisment

ସୂଚନାଯୋଗ୍ୟ, ଗତ ୭ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଥିଲା। ୧୪୪ ଧାରାକୁ ଭ୍ରୂକ୍ଷେପ ନକରି ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ, ଶ୍ରମିକ ଓ କିନ୍ନରମାନେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହୂତ ସତ୍ୟାଗ୍ରହରେ ସାମିଲ୍‌ ହୋଇଥିଲେ। ଏହିସମୟରେ ପୁଲିସ ସହିତ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଉତ୍ତ୍ୟକ୍ତ ଜନତା ଗେଟ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିବା ସହିତ କାର୍ଯ୍ୟରତ ଜିଲ୍ଲାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାର କରିଦେବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଏପରିକି, କୋର୍ଟ ଭିତରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।