ଭୁବନେଶ୍ବର: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲୋକଙ୍କୁ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲର ନିଯୁକ୍ତି ପାଇଁ ଆଉ ଦେଢ଼ ବର୍ଷ ଅର୍ଥାତ୍ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ ସମୟ ନେଇଛନ୍ତି। ଏହି ସମୟ ମଧ୍ୟରେ ‌ଯେଉଁଠି ଆନୁଷ୍ଠାନିକ ଡିଲର ନିଯୁକ୍ତି ନପାଇବେ ସେଠାରେ ବେସରକାରୀ ଡିଲର ହିଁ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ବରେ ରହିବେ। ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ମାରିଛି। 

Advertisment

ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ କରିବାର ସମୟ ସୀମା ଚଳିତମାସ ୩୦ ତାରିଖରେ ଶେଷ ହେଉଛି। ‌ହେଲେ ଏକକାଳୀନ ସମସ୍ତ ବେସରକାରୀ ଡିଲରମାନଙ୍କୁ ଉଚ୍ଛେଦ କରିବାରେ ପ୍ରାଶାସନିକ ଅସୁବିଧା ଏବଂ ସାଧାରଣ ବଣ୍ଟନରେ ଅବ୍ୟବସ୍ଥା ଆଶଙ୍କା ଥିବାରୁ ରାଜ୍ୟ ସରକାର ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବର୍ଦ୍ଧିତ କରିଛନ୍ତି।

ସାଧାରଣ ବଣ୍ଟନ ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ୧୧୯୩୧ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ସମ୍ପାଦିତ ହେଉଥିବାବେଳେ ଏଥିରେ ୫୨୯୨ଜଣ ବେସରକାରୀ ଡିଲର ଅଛନ୍ତି। ଆନୁଷ୍ଠାନିକ ଖାଉଟି ଡିଲର କେନ୍ଦ୍ର ଯଥା ଗ୍ରାମପଞ୍ଚାୟତ ଦ୍ବାରା ପରିଚାଳିତ କେନ୍ଦ୍ର ସଂଖ୍ୟା ୪୦୨୮ଟି, ମହିଳା ଏସ୍‌ଏସଚ୍‌ଜି ଦ୍ବାରା ପରିଚାଳିତ ୨୧୬୧ଟି, ଏସ୍‌ଏଚ୍‌ଜି ଦ୍ବାରା ପରିଚାଳିତ ୧୬୨ଟି, ସେବା ସମବାୟ ସମିତି ଦ୍ବାରା ପରିଚାଳିତ ୨୪୬ଟି ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ପରିଚାଳିତ ୪୨ଟି କେନ୍ଦ୍ର ଅଛି।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ସମେତ ୬ଟି ବିଭାଗର ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସେହିପରି ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ୫ବର୍ଷରେ ୧୪୨୩କୋଟି ୪୭ଲକ୍ଷ ଖର୍ଚ୍ଚ ହେବ। ଏହାଦ୍ବାରା ମଇଁଷି, ଗୋପାଳନ କରୁଥିବା, ତୃଣ ଉତ୍ପାଦନ କରୁଥିବା ପ୍ରାୟ ୧୫ଲକ୍ଷ ୪୭ହଜାର ୮୩୭ଜଣ ଚାଷୀ ଉପକୃତ ହେବେ।

ବେସରକାରୀ ଡିଲରଙ୍କ ଲାଇସେନ୍ସ ଅବଧି ବଢ଼ିଲା
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୫ବର୍ଷରେ ୧୫.୪୭ଲକ୍ଷ ଚାଷୀ ଉପକୃତ ହେବେ
ଆଡଭୋକେଟ୍ ଜେନେରାଲ୍‌ଙ୍କ ଫି’ ବଢ଼ିଲା
ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ଟି କ୍ବାର୍ଟର୍ସ ନିର୍ମାଣ ହେବ

ଆଜିର ବୈଠକରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ (ମହାଧିବକ୍ତା)ଙ୍କର ଫିସ୍‌କୁ ବଢ଼ାଯାଇଛି। ଏଥିରେ ରାଜ୍ୟର ବିଧି ପରାମର୍ଶଦାତା ଉଦ୍ଦେଶ୍ୟରେ ମାସିକ ଫିସ୍‌ ୫୦ହଜାର ଟଙ୍କା ବଦଳରେ ୩ଲକ୍ଷ ଟଙ୍କା ପାଇବେ। ସୁପ୍ରିମକୋର୍ଟରେ ମାମଲା ଲଢ଼ିଲେ ୨୦ହଜାର ଟଙ୍କା ବଦଳରେ ୫୫ହଜାର ଟଙ୍କା ପାଇବେ। ଯଦି ସୁପ୍ରିମକୋର୍ଟରେ ଆଟର୍ଣ୍ଣି ଜେନେରାଲଙ୍କୁ ସହାୟତା କରିବାକୁ ଉପସ୍ଥିତ ରୁହନ୍ତି ତେବେ ଦୈନିକ ୧୦ହଜାର ଟଙ୍କା ବଦଳରେ ୩୫ହଜାର ଟଙ୍କା ପାଇବେ। ମୁଖ୍ୟାଳୟ ବାହାରେ କୌଣସି କାର୍ଯ୍ୟରେ ଗଲେ, ନ୍ୟାୟାଳୟ, ନ୍ୟାୟାଧିକରଣ, ଆୟୋଗ ବା ପ୍ରାଧିକରଣରେ କୌଣସି କାର୍ଯ୍ୟବିଧିରେ ଉପସ୍ଥିତ ହେଲେ ଦୈନିକ  ୮ହଜାର ଟଙ୍କା ବଦଳରେ ୩୫ହଜାର ଟଙ୍କା,  କଟକରେ କୌଣସି ନ୍ୟାୟାଳୟ, ନ୍ୟାୟାଧିକରଣ, ଆୟୋଗ ବା ପ୍ରାଧିକରଣରେ କୌଣସି କାର୍ଯ୍ୟବିଧିରେ ଉପସ୍ଥିତ ହେଲେ, ଉଚ୍ଚନ୍ୟାୟାଳୟରେ ଉପସ୍ଥିତ ହୋଇ ଦୈନିକ ଯେତେ ସଂଖ୍ୟକ ମାମଲା ପରିଚାଳାନା କଲେ ବି ଦୈନିକ ୬ହଜାର ଟଙ୍କା ବଦଳରେ ୩୦ହଜାର ଟଙ୍କା ପାଇବେ। ପୂର୍ବରୁ ଏହା ଏପ୍ରିଲ ୨୧, ୨୦୧୬ରେ ସଂଶୋଧନ ହୋଇଥିଲା।

ଏହାବ୍ୟତୀତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କର୍ମଚାରୀଙ୍କ ପାଇଁ ସିଡିଏ ସେକ୍ଟର-୧୩ କଟକରେ ୧୦ଏକର ଅଞ୍ଚଳରେ ୫୫୦ଟି ବାସଗୃହ ନିର୍ମାଣ ହେବ। ଏଥିରେ ୨୦୦ଟି ଡି-ଟାଇପ୍, ୩୫୦ଟି ଇ-ଟାଇପ୍ କ୍ବାର୍ଟର୍ସ , କମ୍ୟୁନିଟି ହଲ୍ ଓ ‌େଖଳପଡ଼ିଆ ନିର୍ମାଣ ହେବ। ଏଥିପାଇଁ ୨୨୦କୋଟି ୪୦ଲକ୍ଷ ୬୪ହଜାର ଟଙ୍କା ଖର୍ଚ୍ଚ ହେବ। ଆଇରନ୍ ଟ୍ରାଏଙ୍ଗଲ୍ ଲିମିଟେଡ୍ ଏହାକୁ ଟର୍ଣ୍ଣ କି ଆଧାରରେ ୩୦ମାସରେ ନିର୍ମାଣ କରିବ। ଏସମ୍ପର୍କିତ ‌େଟଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ନୂତନ ଅପରାଧିକ ଆଇନ ପ୍ରଣୟନ କରିବାକୁ ଯଥା ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩; ଭାରତୀୟ ସାକ୍ଷ୍ୟ ଅଭିନିୟମ, ୨୦୨୩ ପରିପ୍ରେକ୍ଷୀରେ ନ୍ୟାୟିକ ଅଧିକାରୀମାନଙ୍କ ନୈତିକ ଓ ଆଇନଗତ କର୍ତ୍ତବ୍ୟ, କୋର୍ଟ ପରିଚାଳନା ଏବଂ ପ୍ରଶାସନିକ ଦକ୍ଷତାକୁ ଆଲୋକିତ କରିବା ଦିଗରେ ଓଡ଼ିଶା ସୁପ୍ରିମୋ ଜୁଡିସିଆଲ ସର୍ଭିସ୍ ଓ ଓଡ଼ିଶା ଜୁଡିସିଆଲ ସର୍ଭିସ ନିୟମ ୨୦୦୭କୁ ସଂଶୋଧନ କରିବାକୁ ପଦକ୍ଷେପ ନିଆଯାଉଛି। ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହାସହ ସରକାରୀ ପରିସଂଖ୍ୟାନ ସମ୍ପର୍କୀୟ ତଥ୍ୟ ପ୍ରସାରଣ ନୀତି-୨୦୨୪କୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆଜି କ୍ୟାବିନେଟ ବୈଠକ ପରେ ଏନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ , ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।