ରାୟଗଡ଼ା: ସାର ଦୁର୍ନୀତିର ଗୁମର ଖୋଲିବା ପରେ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କୃଷି ବିଭାଗ ପକ୍ଷରୁ ୭ ଡିଲରଙ୍କ ଲାଇସେନସ୍ ରଦ୍ଦ କରାଯାଇଛି। ଏଥି ସହ ୪ ଲ୍ୟାମ୍ପସ, ରାୟଗଡ଼ା ଏମପିସିଏସ୍ ସମେତ ୧୮ ଡିଲରଙ୍କୁ କୃଷି ବିଭାଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ୧୫ ଦିନ ମଧ୍ୟରେ ଡିଲରମାନେ ନିଜ ପକ୍ଷ ରଖିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦ କିଶୋର ସିଂହ। ସେହିପରି ସାର ଦୁର୍ନୀତିରେ ସଂପୃକ୍ତ ଲ୍ୟାମ୍ପସ ଓ ଏମପିସିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ଉପନିବନ୍ଧକ ପ୍ରମୋଦ କୁମାର ସାହୁ।
ସାର ଦୁର୍ନୀତିକୁ ନେଇ ଲଗାତାର ‘ସମ୍ବାଦ’ ରେ ଖବର ପ୍ରକାଶ ପରେ କୃଷି ବିଭାଗର ଚେତାପଶିଛି । ରାୟଗଡ଼ା, ଗୁଣପୁର, ମୁନିଗୁଡା କୃଷି ଜିଲ୍ଲାରେ ସାର ବଣ୍ଟନରେ ଡିଲରଙ୍କୁ କୃଷି ବିଭାଗର ଅହେତୁକ ଅନୁକମ୍ପା ଏବଂ ଲ୍ୟାମ୍ପସରେ ଚାଷୀଙ୍କ ନାଁରେ ଡିଲରଙ୍କୁ ଟନ୍ ଟନ୍ ସାର ବିକ୍ରି କରାଯାଇଥିବା ନେଇ ଖବର ପ୍ରକାଶ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କୃଷି ଓ ସମବାୟ ବିଭାଗକୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଜିଲ୍ଲାପାଳ ରିପୋର୍ଟ ମାଗିବା ପରେ କୃଷି ଓ ସମବାୟ ବିଭାଗ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଡିଲର ଓ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଚାଷୀଙ୍କୁ ଆବଶ୍ୟକତାଠୁ ଅଧିକ ସାର ବିକ୍ରି ଅଭିଯୋଗରେ ମୁନିଗୁଡ଼ାର ଭାସବୀ ଟ୍ରେଡର୍ସର ଲାଇସେନସକୁ ସସପେଣ୍ଡ କରିଛନ୍ତି ମୁନିଗୁଡା କୃଷି ଜିଲ୍ଲା ଅଧିକାରୀ ହିରଂଜନ ମହାନ୍ତି। ବିଭାଗୀୟ ଚିଠି ନଂ-୪୫୧/ତା:୪.୯.୨୦୨୦ରେ ଭାସବୀ ଟ୍ରେଡର୍ସକୁ ସସପେଣ୍ଡ ନୋଟିସ୍ ଜାରି କରାଯିବା ସହ ୧୫ ଦିନ ମଧ୍ୟରେ ପକ୍ଷ ରଖିବାକୁ କୁହାଯାଇଛି।
ସେହିପରି ବିଷମକଟକ ବ୍ଲକର ମହାଲକ୍ଷ୍ମୀ ଟ୍ରେଡର୍ସର ମଧ୍ୟ ଡିଲର ଲାଇସେନସ୍ ରଦ୍ଦ ହୋଇଛି। ଚିଠି ନଂ-୪୪୫ରେ ମହାଲକ୍ଷ୍ମୀ ଟ୍ରେଡର୍ସକୁ ନୋଟିସ୍ ସହ ତୁରନ୍ତ ଷ୍ଟକ୍ କ୍ଲିଅର କରିବାକୁ କୁହାଯାଇଛି। ଏଥି ସହିତ ୩ ଜଣ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଚାଷୀଙ୍କ ନାଁରେ ସାର ହେରଫେର ଅଭିଯୋଗରେ ମୁନିଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦେଶକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମୁନିଗୁଡା ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମହାନ୍ତି ରାୟଗଡ଼ା ଡିଆରସିଏସଙ୍କୁ ଚିଠି ଲେଖିଛନ୍ତି।
ଗୁଣପୁର କୃଷି ଜିଲ୍ଲା ଅଧିକାରୀ ମଧ୍ୟ ସାର ଦୁର୍ନୀତିରେ ସଂପୃକ୍ତ ୩ ଡିଲରଙ୍କ ଲାଇସେନସ ବାତିଲ୍ କରିବା ସହ ୧୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଯାଞ୍ଚ ସମୟରେ ରାମନାଗୁଡା ବ୍ଲକ୍ ଉକମ୍ବାର ଜସ୍ମିତା ଟ୍ରେଡର୍ସର ପଏଣ୍ଟ୍ ଅଫ୍ ସେଲ୍ ମେସିନ୍ ଏବଂ ଗୋଦାମ ଷ୍ଟକ୍ ମଧ୍ୟରେ କୌଣସି ତାଳମେଳ ରହୁନଥିବାରୁ ଲାଇସେନସ୍ ରଦ୍ଦ ହୋଇଛି।
/sambad/media/post_attachments/wp-content/uploads/2020/09/RGD_Fertilizer-Scam-1024x442.jpg)
ଗୁଲୁମୁଣ୍ଡା ମା ମାଝି ଗୌରୀ ଟ୍ରେଡର୍ସ, ଗୁଣପୁର ଶ୍ରୀ ରାଜେଶ୍ବରୀ କମ୍ପାନି ଚାଷୀଙ୍କୁ ଦରକାରଠୁ ଅଧିକ ବିକ୍ରି କରିଥିବା ଜଣା ପଡିଛି। ଯେଉଁଥି ପାଇଁ ଉଭୟଙ୍କ ଲାଇସେନସ୍ ରଦ୍ଦ କରାଯାଇଥିବା କହିଛନ୍ତି କୃଷି ଅଧିକାରୀ ବାବାଜୀ ଚରଣ ବେହେରା। ବିଭାଗୀୟ ଚିଠି ନଂ- ୮୧୦ /୮୧୬/୮୨୨ରେ ବାତିଲ୍ ପତ୍ର ସଂପୃକ୍ତ ଡିଲରଙ୍କ ନିକଟକୁ ପଠାଇ ଦିଆଯାଇଛି। ରାୟଗଡ଼ା କୃଷି ଜିଲ୍ଲାର ବିଜୟ ଶ୍ରୀ ଆଗ୍ରୋ କେୟାର୍, ମା ମାଝି ଗୌରୀ ଟ୍ରେଡର୍ସର ଲାଇସେନସ ରଦ୍ଦ କରାଯାଇଛି। ଏଥି ସହିତ ୧୩ ଡିଲରଙ୍କୁ ନୋଟିସ୍ ଦିଆଯାଇଛି। ୧୫ ଦିନ ମଧ୍ୟରେ ସମସ୍ତଙ୍କୁ ପକ୍ଷ ରଖିବାକୁ କୁହାଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଲ୍ୟାମ୍ପସରେ ହୋଇଥିବା ସାର ହେରଫେରକୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାୟଗଡ଼ା, ମୁନିଗୁଡା, କୋଲନରା, କଲ୍ୟାଣସିଂହପୁର ସମେତ ରାୟଗଡ଼ା ଏମପିସିଏସ୍ ସଂପାଦକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସମବାୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଛନ୍ତି ଡିଆରସିଏସ୍। ରିପୋର୍ଟ ପହଞ୍ଚିବା ପରେ ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆରସିଏସ୍ ଶ୍ରୀ ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/920287ce-5902-4552-b8cf-3343d9b03bdc-1.jpg)
