ଭୁବନେଶ୍ବର : ବିହାରରେ ଏନ୍ସାଫାଲାଇଟିସ୍ ଯୋଗୁଁ ଶତାଧିକ ଶିଶୁ ପ୍ରାଣ ହରାଇବା ଘଟଣାରେ ଲିଚୁକୁ ନେଇ ବିତର୍କ ଜାରି ରହିଛି। ଲିଚୁ ଖାଇବା ଯୋଗୁଁ ଏତେ ସଂଖ୍ୟାରେ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହେଉଥିଲେ ହେଁ ଏହା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ତେବେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଦୁଡ଼ି ଓ ଅନ୍ୟ ପକ୍ଷୀଙ୍କଠାରୁ ରକ୍ଷା କରିବା ପାଇଁ ଚାଷୀମାନେ ଲିଚୁରେ ମାତ୍ରାଧିକ କୀଟନାଶକ ଓ ପଶୁଙ୍କ ପାଇଁ ଥିବା ଔଷଧ ବ୍ୟବହାର କରୁଛନ୍ତି।
ଓଡ଼ିଶାରେ ଲିଚୁ ନମୁନା ଯାଞ୍ଚ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ରାତାରାତି ଏହା ବଜାରରୁ ଉଭାନ ହୋଇଯାଇଥିଲା। ଯାହାଫଳରେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଲିଚୁ ନମୁନା ସଂଗ୍ରହ ହୋଇ ପରୀକ୍ଷା ହୋଇପାରି ନାହିଁ। ରାଜ୍ୟରେ ବିକ୍ରି ହେଉଥିବା ଅଧାରୁ ଅଧିକ ଲିଚୁ ବିହାର ଅଞ୍ଚଳରୁ ଆସିଥାଏ। ଏଭଳି ପରିସ୍ଥିତିରେ ଓଡ଼ିଶାକୁ ଆସିଥିବା ଲିଚୁ ଖାଇ କେତେଜଣ ଜ୍ବରରେ ପଡ଼ିଛନ୍ତି ଯଦିଓ ତାହା ସ୍ପଷ୍ଟ ହୋଇନାହିଁ ତେବେ ଏହାର ନମୁନା ଯାଞ୍ଚ ହୋଇ ନ ଥିବାରୁ ସନ୍ଦେହ ଦୂର ହୋଇପାରି ନାହିଁ। ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗ ବାହାର ରାଜ୍ୟ ବିଶେଷକରି ବିହାରରୁ ଆସୁଥିବା ଲିଚୁକୁ ଓଡ଼ିଶାରେ ବିକ୍ରି ପାଇଁ ଅନୁମତି ପ୍ରଦାନ କରିବ କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିହାରର ମୁଜାଫରପୁର ଅଞ୍ଚଳର ଲିଚୁ ଚାଷୀମାନେ ଲିଚୁ ଗଛରେ ଥିବା ସମୟରେ ସାଇପରମେଥ୍ରିନ୍ ନାମକ କୀଟନାଶକ ମାତ୍ରାଧିକ ପ୍ରୟୋଗ କରୁଥିବା ସ୍ବୀକାର କରିଛନ୍ତି। ଲିଚୁ ଉପରେ ଏହାକୁ ପ୍ରୟୋଗ କରିବା ଓ ଏହାର କ୍ଷମତା କମିବା ପୂର୍ବରୁ ଏହାକୁ ଚାଷୀମାନେ ତୋଳୁଛନ୍ତି। ଯାହଫଳରେ ଏହି ରସୟାନିକ କୀଟନାଶକ ସିଧାସଳଖ ମଣିଷ ଶରୀରକୁ ଯାଉଛି। ସେହିପରି କେତେକ ଚାଷୀ ଗାଈଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଔଷଧକୁ ମଧ୍ୟ ପ୍ରୟୋଗ କରୁଥିବା ଜଣାପଡ଼ିଛି। ଗଛରେ ଲିଚୁକୁ ରକ୍ଷା କରିବା ପାଇଁ ଏହି ଔଷଧକୁ ପାଣିରେ ମିଶାଇ ଲିଚୁରେ ପ୍ରୟୋଗ କରୁଛନ୍ତି। ଯାହାକି ଲିଚୁରେ ୩୦ଦିନ ପର୍ଯ୍ୟନ୍ତ ରହୁଛି। ଅପରପକ୍ଷରେ ଚାଇନା ପ୍ରଜାତିର ଲିଚୁରେ ସେଠାକାର ଚାଷୀମାନେ ମାତ୍ରାଧିକ କୀଟନାଶକ ବ୍ୟବହାର କରୁଛନ୍ତି। ଏହି ଲିଚୁ ତୋଳିବାର ସମୟ ଜୁନ୍ ମାସରେ ହୋଇଥିବାରୁ ଏହି ସମୟ ହିଁ ଏନ୍ସାଫାଲାଇଟିସ୍ ଜନିତ ମୃତ୍ୟୁ ନଜରକୁ ଆସୁଛି ବୋଲି କୁହାଯାଉଛି।
ସାଇପରମେଥ୍ରିନ୍ ଏକ କୀଟନାଶକ ଔଷଧ। ଏହାର ସଂସ୍ପର୍ଶରେ ଆସିଲେ ଆଖି ଓ ଚର୍ମ କୁଣ୍ଡାଇ ହେବା ସହିତ ଜଳାପୋଡ଼ା ହୋଇଥାଏ। ଏପରିକି ଏହା ଶରୀର ଭିତରକୁ ଗଲେ ପେଟରେ ଯନ୍ତ୍ରଣା ହେବା ସହିତ ପ୍ରବଳ ବାନ୍ତି ସହିତ ଘାତକ ସାବ୍ୟସ୍ତ ହୋଇଥାଏ। ବିଶେଷଜ୍ଞଙ୍କ କହିବା କଥା, ଥରେ କୌଣସି କୀଟନାଶକ ଫଳ କିମ୍ବା ଫୁଲରେ ସ୍ପ୍ରେ କରାଗଲେ ଗଛ ତାହାକୁ ଗ୍ରହଣ କରି ନେଇଥାଏ। ଯଦି ଏହି ଔଷଧ ୧ ରୁ ୧୦ ମିଲିଗ୍ରାମ୍ ମଣିଷ ଶରୀରକୁ ଯାଏ ତାହା ଘାତକ ସାବ୍ୟସ୍ତ ହୋଇପାରେ। ଧୀରେ ଧୀରେ ଶରୀର ଭିତରକୁ ଯାଇ କର୍କଟ ରୋଗ ସୃଷ୍ଟି କରିଥାଏ।
ଓଡ଼ିଶା ବଜାରରୁ ରାତାରାତି ଲିଚୁ ଉଭାନ୍ ହେବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଖାଦ୍ୟ ସୁରକ୍ଷା ଅଧିକାରୀମାନେ ମଧ୍ୟ ଏ ଦିଗରେ ବିଶେଷ ତଦନ୍ତ ନ କରି ବଜାରରେ ମିଳୁ ନ ଥିବା କହିଥିଲେ। ଏହାପରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଲିଚୁ ନମୁନା ପରୀକ୍ଷା ପାଇଁ ଯେତିକି ଆଗ୍ରହ ପ୍ରକାଶ କରିବା କଥା ତାହା ଦେଖିବାକୁ ମିଳିନାହିଁ। ଯାହାଫଳରେ ଓଡ଼ିଶାକୁ ଆସିଥିବା ଲିଚୁରେ କେତେ ପରିମାଣରେ କୀଟନାଶକ ଥିଲା ତାହା ରହସ୍ୟରେ ରହିଗଲା।