ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କର ଆଗାମୀ ବୁଧବାର ଦିନ ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ଜଣାଯାଇଛି। ସେ ପଚରାଉଚରା ସମୟରେ ପୁଲିସକୁ ସହଯୋଗ କରୁ ନଥିବା ଏବଂ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ରମେଶ ଚନ୍ଦ୍ର ସ୍ୱାଇଁଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଲାଗି ପୁଲିସ ପକ୍ଷରୁ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏଥିଲାଗି ନ୍ୟାୟାଳୟ ଅନୁମତି ଦେବା ପରେ ଆସନ୍ତା ବୁଧବାର ଲାଏ ଡିଟେକ୍ସନ କରାଯିବ ବୋଲି ମହିଳା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏଥର ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ସବୁ ସତ ଓଗାଳିବେ ବୋଲି ପୁଲିସ ଆଶା ରଖିଛି।

ସୂଚନାଯୋଗ୍ୟ, ନିଜକୁ ଜଣେ ଡାକ୍ତର ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ବାଇଁଙ୍କ ୧୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଛି। ପୂର୍ବରୁ ସେ ୧୪ ଜଣ ମହିଳାଙ୍କର ସ୍ବାମୀ ବୋଲି ଜଣାପଡ଼ିଥିଲା। କିନ୍ତୁ ଧୀରେ ଧୀରେ ରମେଶ ବିଷୟରେ ପୁଲିସକୁ ଅଧିକ ତଥ୍ୟ ମିଳଛି। ଏବେ ଯାଏଁ ସେ ୧୭ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି।

ନକଲି ଡାକ୍ତର ଶ୍ରୀ ସ୍ବାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଅଧିକ ତଦନ୍ତ କରୁଛି। ଟିମରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ତେଣୁ ପୁଲିସ ରମେଶକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅଭିଯୁକ୍ତ ରମେଶ ୩୦ ବର୍ଷ ଭିତରେ କେଉଁଠି ରହୁଥିଲେ ଓ କାହାକାହା ସମ୍ପର୍କରେ ଆସିଥିଲେ ସେନେଇ ଖୋଳ ତାଡ଼ କରିବ। ଏଥି ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ। ଯେଉଁ ମହିଳା ଓ ଯୁବତୀମାନେ ଏହି ଠକେଇରେ ଶିକାର ହୋଇଛନ୍ତି ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର