ନଭେମ୍ବର ବଦଳରେ ଅନ୍ୟ ମାସରେ ବି ଦାଖଲ କରିହେବ ଜୀବନ ପ୍ରମାଣପତ୍ର

ଭୁବନେଶ୍ବର: ମାସିକ ପେନସନ୍‌ ଅବ୍ୟାହତ ରଖିବାକୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ହୋଇଥାଏ। କିନ୍ତୁ ଏକ ସମୟରେ ସଂଖ୍ୟାଧିକ ପ୍ରମାଣପତ୍ରକୁ ତଦାରଖ କରି କାର୍ଯ୍ୟକାରୀ କରିବାରେ ଅସୁବିଧା ହେବାରୁ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଜୀବନ ପ୍ରମାଣପତ୍ର ଦାଖଲ କରିଥିବା ମାସଠାରୁ ବର୍ଷେ ପର୍ଯ୍ୟନ୍ତ ଏହା କ୍ରିୟାଶୀଳ ରହିବ। ତେଣୁ ପେନସନ୍‌ ଉପଭୋକ୍ତା ପ୍ରତି ନଭେମ୍ବର ବଦଳରେ ଯେକୌଣସି ମାସରେ ଦାଖଲ କରିଥିବା ପୂର୍ବ ପ୍ରମାଣପତ୍ର ତାରିଖଠାରୁ ଏକବର୍ଷ ସମାପ୍ତ ହେଉଥିବା ମାସରେ ଆଉ ଥରେ ଜୀବନ ପ୍ରମାଣପତ୍ର ଡିଜିଟାଲ ମାଧ୍ୟମରେ ଦାଖଲ କରିପାରିବେ।

ଇପିଏଫ୍‌ ପେନସନ୍‌ ଭୋକ୍ତାମାନେ ନିଜର ବ୍ୟାଙ୍କ ଶାଖା, ଡାକଘର, ଡାକସେବକ, ଗ୍ରାମସେବକ ଜରିଆରେ ବା କମନ୍‌ ସର୍ଭିସ୍‌ ସେଣ୍ଟର୍‌ ତଥା ଉମଙ୍ଗ-ଆପ୍‌ ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ବ୍ୟାଙ୍କ ପକ୍ଷରୁ କୌଣସି ଅସୁବିଧାର ସାମ୍ନା କଲେ, ଭୁବନେଶ୍ବରସ୍ଥିତ ଭବିଷ୍ୟନିଧି କର୍ମଚାରୀ ସଂଗଠନର ଆଞ୍ଚଳିକ କାର୍ଯ୍ୟାଳୟରେ ଜଣାଇପାରିବେ। କୌଣସି କାରଣ ପାଇଁ ଏହା ଖାରଜ ହେଲେ, ତ୍ରୁଟି ସଂଶୋଧନ କରି ପୁଣିଥରେ ଆବେଦନ କଲେ ତାହା କାର୍ଯ୍ୟକାରୀ ହୋଇପାରିବ।

ସମ୍ବନ୍ଧିତ ଖବର