ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ମେଡିକାଲରେ ଥଣ୍ଡା, କାଶ, ଜ୍ବରରେ ଯେଉଁ ରୋଗୀ ଗୁରୁତର ହୋଇ ମରୁଛନ୍ତି ସେମାନଙ୍କୁ କୋଭିଡ୍‌ ରୋଗୀ ହିସାବରେ ନିଆଯାଉନି। ସେମାନଙ୍କ କରୋନା ପରୀକ୍ଷା ହୋଇପାରୁ ନ ଥିବାରୁ ତାହା କୋଭିଡ୍‌ ମୃତ୍ୟୁ ବୋଲି ପ୍ରଶାସନ ମଧ୍ୟ ଗ୍ରହଣ କରୁନାହିଁ। ଏହାର ଏକ ଉଦାହରଣ ଗତକାଲିର ତଥ୍ୟରୁ ସୂଚନା ମିଳିଛି। ଗତକାଲି ଗୋଟିଏ ଦିନରେ ଏମ୍‌କେସିଜି ଆଇସୋଲେସନ୍‌ ୱାର୍ଡ଼ରେ କରୋନା ଲକ୍ଷଣ ଥାଇ ପରୀକ୍ଷା ହୋଇ ନଥିବା ମୋଟ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ବଡ଼ ମେଡିକାଲ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ କି ଜିଲ୍ଲା ପ୍ରଶାସନ ତରଫରୁ ଏହା ସ୍ପଷ୍ଟ କରା ଯାଉନାହିଁ। ଏମ୍‌କେସିଜି ଆଇସୋଲେସନ୍‌ ୱାର୍ଡ଼ ଏବେ ଯମପୁର ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Advertisment

କରୋନା ସଂକ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲାରେ ଏବେ ଭୟ ଓ ଆତଙ୍କର ବାତାବରଣ। ‌ଜ୍ବର, କାଶ, ଥଣ୍ଡା, ଛିଙ୍କ ହେଲେ ଗାଁରୁ ସହର ସମସ୍ତଙ୍କୁ ଭୟ ଘାରୁଛି। ଚିକିତ୍ସା ପାଇଁ ଗଲେ ଡାକ୍ତରଖାନାରୁ ଫେରାଇ ଦିଆଯାଉଛି। ଏହା କେବଳ ଗ୍ରାମାଞ୍ଚଳ ନୁହେଁ, ବ୍ରହ୍ମପୁର ମହାନଗରରେ ମଧ୍ୟ ସମାନ ଅବସ୍ଥା। ଗତକାଲି ଶ୍ରୀରାମନଗରରେ ଦିନକରେ ଚାରିଜଣଙ୍କ ମୃତ୍ୟୁ ଘଟିବା ଏବଂ ସେମାନଙ୍କ ବିଷୟରେ ପ୍ରଶାସନ ନିକଟରେ ତଥ୍ୟ ନାହିଁ। ଏମ୍‌କେସିଜି ବଡ଼ ଡାକ୍ତରଖାନା ଓପିଡି ୧୨ ଦିନ ହେଲା ବନ୍ଦ କରି ଦିଆଯାଇଛି। ମୁଖ୍ୟ ଫାଟକରେ ପହରା ଲାଗିଛି, ଏଠାକୁ ଗଲେ କେବଳ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯିବ କହି ଫେରାଇ ଦିଆଯାଉଛି। ନିରୁପାୟ ହୋଇ ଲୋକେ ଘରେ ରହି ଡାକ୍ତର କିମ୍ବା ଔଷଧ ଦୋକାନୀଙ୍କ ପରାମର୍ଶ ନେଇ ଔଷଧ ଖାଇ ଚିକିତ୍ସିତ ହେଉଛନ୍ତି। ଗାଁ ଗହଳିରୁ ହେଉ କି ସହରରୁ ଗୁରୁତର ହେବା ପରେ ଯାଇ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ପ୍ରତିଦିନ ବଡ଼ ଡାକ୍ତରଖାନା ଆଇସୋଲେସନ୍‌ ୱାର୍ଡ଼କୁ ଏଭଳି ଗୁରୁତର ରୋଗୀଙ୍କୁ ବୁହା ହୋଇ ଅଣାଯାଉଛି। ସେମାନଙ୍କ ମଧ୍ୟରୁ କିଏ ବଞ୍ଚୁଛି ତ ଆଉ କିଏ ମରି ଯାଉଛି, ତାର ହିସାବ ବାହାରକୁ ଆସୁନି। ସପ୍ତାହକ ତଳେ ସଂଗୃହୀତ ତଥ୍ୟ ଅନୁସାରେ, ପ୍ରତିଦିନ ଏମ୍‌କେସିଜି ‌ଆଇସୋଲେସନ୍‌ ୱାର୍ଡ଼ରେ ହାରାହାରି ୩ରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଥିବା ସୂଚନା ମିଳିଥିଲା। କିନ୍ତୁ ଏ ନେଇ ‌ବଡ଼ ମେଡିକାଲ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ବିଭାଗ କି ଜିଲ୍ଲା ପ୍ରଶାସନ ନିରବ।

publive-image Asianet Newsable

ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓପିଡି ବନ୍ଦ ରହିବା ଫଳରେ ସାଧାରଣ ‌ରୋଗୀ ଆବଶ୍ୟକ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି। ଲୋକେ ଥଣ୍ଡା, ଜ୍ବର, କାଶରେ ପୀଡ଼ିତ ହେଲେ ମଧ୍ୟ ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ଛଡ଼ାଯାଉ ନାହିଁ। ଲକ୍ଷଣ ବଢ଼ିଲେ ବାଧ୍ୟ ହୋଇ ଲୋକେ ସ୍ବାବ୍‌ ପରୀକ୍ଷା କରୁଛନ୍ତି, ଆଉ ଅନେକ ପରୀକ୍ଷା କରୁ ନାହାନ୍ତି। ସ୍ବାବ୍‌ ରିପୋର୍ଟ ଆସିବା ବେଳକୁ ୫/୬ଦିନ ଲାଗି ଯାଉଛି। ଏହା ଭିତରେ ଯେଉଁମାନେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ରୋଗୀ ଗୁରୁତର ହୋଇ ପଡ଼ୁଛନ୍ତି। ଗୁରୁତର ହେବା ପରେ କୋଭିଡ୍‌ ଲକ୍ଷଣ ଥିବାରୁ ଏବଂ ସ୍ବାବ୍‌ ରିପୋର୍ଟ ଆସି ନଥିବାରୁ ସେମାନଙ୍କୁ ବଡ଼ ଡାକ୍ତରଖାନା ଆଇସୋଲେସନ୍‌ ୱାର୍ଡ଼ରେ ବର୍ତ୍ତି କରି ଦିଆଯାଉଛି। କିଛି ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ରାସ୍ତାରେ ମୃତ୍ୟୁବରଣ କରୁଛନ୍ତି। ଆଉ କେତେକ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟୁଛି। ଏମ୍‌କେସିଜି ଆଇସୋଲେସନ୍‌ ୱାର୍ଡ଼ରେ ସ୍ବାବ୍‌ ରିପୋର୍ଟ ନଥିବା ଏଭଳି ଯେଉଁ ରୋଗୀ ମରୁଛନ୍ତି ସେମାନଙ୍କୁ ଆଉ କୋଭିଡ୍‌ ମୃତ୍ୟୁ ହିସାବର ଗଣାଯାଉନି। ପ୍ରତିଦିନ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଏଭଳି ମୃତ୍ୟୁ ଘଟୁଥିବା ବେଳେ ସେମାନଙ୍କର କୋଭିଡ୍‌ ପରୀକ୍ଷା ହୋଇପାରୁ ନାହିଁ। ବଡ଼ ଡାକ୍ତରଖାନା ଆଇସୋଲେସନ୍‌ ୱାର୍ଡ଼ରେ ପ୍ରାଣ ହରାଉଥିବା ଅଧିକାଂଶ ରୋଗୀଙ୍କ କୋଭିଡ୍‌ ପରୀକ୍ଷା ମଧ୍ୟ ହେଉ ନାହିଁ। କୋଭିଡ୍‌ ପରୀକ୍ଷା ନହୋଇ ପ୍ରତିଦିନ ୨/୩ଜଣଙ୍କ ମୃତ୍ୟୁ ଘଟୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରୋଗୀଙ୍କ ମୃତ୍ୟୁ ପରେ ମରଶରୀର ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଦିଆଯାଉଛି।

ଗୋଟିଏ ପଟେ କୋଭିଡ୍‌ ହସ୍‌ପିଟାଲର ବିଭିନ୍ନ ଅବ୍ୟବସ୍ଥା ଓ ରୋଗୀ ଚିକିତ୍ସାରେ ଅବହେଳା ନେଇ ବାରମ୍ବାର ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ବଡ଼ ଡାକ୍ତରଖାନା ଆଇସୋଲେସନ୍‌ ୱାର୍ଡ଼ରେ ନିତି ରୋଗୀ ମୃତ୍ୟୁ ଘଟଣା ଏବେ ଚିନ୍ତାର କାରଣ ହୋଇଛି। ପ୍ରତିଦିନ ରୋଗୀଙ୍କ ମୃତ୍ୟୁ ଘଟୁଥିଲେ ସୁଦ୍ଧା ପ୍ରଶାସନ କି ଡାକ୍ତରଖାନା ତରଫରୁ କୌଣସି ସୂଚନା ଦିଆଯାଉ ନାହିଁ। ଯାହାକି ମୃତ୍ୟୁ ଘଟଣାକୁ ପରୋକ୍ଷରେ ଚାପି ଦେବାକୁ ଉଦ୍ୟମ କରା ଯାଉଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ଉଠିଲାଣି। ମୃତ୍ୟୁହାରକୁ ରୋକିବା ଦିଗରେ ତୁରନ୍ତ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।