ଡେଥ୍‌ ଟ୍ରାକ୍‌ରେ ଅକାଳେ ଯାଉଛି ଜୀବନ : ୩ବର୍ଷରେ କଟିଲାଣି ୧୩୬ ମୁଣ୍ଡ, ଆତ୍ମହତ୍ୟା କରିଛନ୍ତି ୫୧ଜଣ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ସର୍ବବୃହତ ବ୍ରହ୍ମପୁର ରେଳ ଷ୍ଟେସନ୍‌। ବ୍ରହ୍ମପୁର ଦେଇ ଦୈନିକ ୭୦ରୁ ଅଧିକ ଟ୍ରେନ୍‌ ଯିବା ଆସିବା କରିଥାଏ। ବର୍ତ୍ତମାନ କରୋନା କଟକଣା ପାଇଁ କେବଳ କିଛି କୋଭିଡ୍‌ ସ୍ପେସାଲ୍‌ ଟ୍ରେନ୍‌ ଯାତାୟାତ କରୁଛି। ଷ୍ଟେସନ୍‌ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିଛି ଜିଆରପି ଓ ଆର‌୍‌ପିଏଫ୍‌ ଥାନା। ପ୍ରତିଦିନ ଟ୍ରେନ୍‌ରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବ୍ରହ୍ମପୁର ରେଳ ଷ୍ଟେସନକୁ ହଜାର ହଜାର ଲୋକ ଆସିଥାନ୍ତି। ଟ୍ରେନ୍‌ରେ ବିଭିନ୍ନ ସମୟରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ହେଉଥିବା ବେଳେ ଅସାବଧାନତା ଯୋଗୁଁ ଟ୍ରେନ୍‌ରୁ ଖସି ଯାତ୍ରୀଙ୍କ ମୃତ୍ୟୁ ଘଟୁଛି। ପୁଣି ରେଳଧାରଣା ପାରି ହେଉଥିବା ବେଳେ ମଧ୍ୟ ଲୋକେ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରୁଛନ୍ତି। ଗତ ୩ବର୍ଷ ମଧୢରେ ଜିଆର୍‌ପି ଥାନାରେ ମୋଟ ୧୯୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ୧୩୬ଜଣ ବିଭିନ୍ନ ଦୁର୍ଘଟଣାରେ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିଥିବା ବେଳେ ମୋଟ ୫୧ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

The Hans India

ବ୍ରହ୍ମପୁର ଜିଆରପି ଥାନାର ସୀମା ୧୨୦କି.ମି ପରିଧି ମଧ୍ୟରେ ରହିଛି। ଏହି ସୀମା ଚିଲିକା ରେଳ ଷ୍ଟେସନ୍‌ରୁ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକାରୁ ସୀମା ଆରମ୍ଭ ହୋଇ ଗଞ୍ଜାମ, ଗଜପତି ଓ ଗୁଣପୁର ପର୍ଯ୍ୟନ୍ତ ଜିଆର୍‌ପି ଥାନା ଇଲାକା ରହିଛି। ଜିଆର୍‌ପି ଥାନାର ଏହି ସୀମା ମଧୢରେ ବିଭିନ୍ନ ସମୟରେ ଟ୍ରେନ୍‌ରେ କଟି ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୧୮ରୁ ୨୦୨୦ ୩ବର୍ଷ ମଧୢରେ ଜିଆରପି ଥାନାରେ ମୋଟ ୧୯୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨୦୧୮ରେ ୭୩ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତନ୍ମଧୢରେ ୨୨ଜଣ ଟ୍ରେନ୍‌ରେ କଟି ଆତ୍ମହତ୍ୟା କରିଛନ୍ତି। ସେହିପରି ୧୧ଜଣ ଧାରଣା ପାରି ହେବା ବେଳେ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଛନ୍ତି। ସେହିପରି ୯ଜଣ ଅନ୍ୟ ବିଭିନ୍ନ କାରଣରୁ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଛନ୍ତି। ୨୦୧୯ରେ ମୋଟ ୬୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୨୧ଜଣ ଟ୍ରେନ୍‌ରେ କଟି ଆତ୍ମହତ୍ୟା କରିଥିବା ବେଳେ ଧାରଣା ପାରି ବେଳେ ୮ଜଣ ଓ ୧୪ଜଣ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୨୦ରେ ମୋଟ ୫୭ଟି ମାମଲା ରୁଜୁ ହୋଇଥିଲା। ଗତବର୍ଷ କରୋନା ପାଇଁ ଟ୍ରେନ୍‌ ଚଳାଚଳ ପ୍ରାୟ ବନ୍ଦ ରହିଥିବା ବେଳେ କେବଳ କିଛି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ଏହି ବର୍ଷ ୮ଜଣ ଟ୍ରେନ୍‌ରେ କଟି ଆତ୍ମହତ୍ୟା କରିଥିବା ବେଳେ ୫ଜଣ ଧାରଣା ପାରି ବେଳେ ଓ ଜଣେ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୧୦ଜଣ ବିଭିନ୍ନ କାରଣରୁ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

India TV News

ଲୋକଙ୍କ ଅସାବଧାନତା ଯୋଗୁଁ ଅଧିକା˚ଶ ଦୁର୍ଘଟଣା ଘଟିଛି। ଟ୍ରେନ୍‌ରେ ଯାତ୍ରା ସମୟରେ ବଗିର କବାଟ ପାଖରେ ଛିଡ଼ା ନହେବା ଓ ନବସିବା ପାଇଁ ରେଳ ବିଭାଗ ତରଫରୁ ବିଭିନ୍ନ ପ୍ରକାର ବିଜ୍ଞାପନ, ପୋଷ୍ଟର‌୍‌ ମାଧୢମରେ ଲୋକଙ୍କୁ ସଚେତନ କରାଯାଉଛି। ତା’ ସତ୍ବେ ମଧୢ ଯାତ୍ରୀମାନେ ଟ୍ରେନ୍‌ର ବଗି କବାଟ ମୁହଁରେ ବସି ବିପଦସ˚କୁଳ ଅବସ୍ଥାରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଫଳରେ ବିଭିନ୍ନ ସମୟରେ ଟ୍ରେନ୍‌ରୁ ଖସି ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ସେପଟେ ରେଳଧାରଣା ଏବେ ଆତ୍ମହତ୍ୟା ପାଇଁ ସହଜ ଓ ସୁବିଧା ମାଧ୍ୟମ ପାଲଟିଛି। ବିଭିନ୍ନ ସମୟରେ ଲୋକେ କୌଣସି କାରଣ ପାଇଁ ନିଜର ମାନସିକ ସ୍ଥିତି ହରାଇ ରେଳଧାଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଏ ଦିଗରେ ଲୋକେ ଯେତିକି ସଚେତନ ହେବେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର