ଜମି ହଡ଼ପ ପାଇଁ ମହିଳାଙ୍କୁ ହତ୍ୟା ମାମଲା: ୧୧ ହତ୍ୟାକାରୀଙ୍କୁ ଆଜୀବନ

ରାଉରକେଲା : ଜମି ହଡ଼ପ କରିବାକୁ ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଜଣେ ମହିଳାଙ୍କୁ ନୃଶଂସଭାବେ ହତ୍ୟା ତଥା ତାଙ୍କ ସ୍ବାମୀ ଓ ପୁଅକୁ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାର ବିଚାର କରି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୧ ଡ. ଭି.ସୁଜାତା ଆଜି ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ଭିତରୁ ୧୧ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।
ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଜିତୁ ସିଂହ, ସୂରଜ ସିଂହ, ଭାଗିରଥୀ ସିଂହ, ଉଦିତ ସିଂହ, ଭଜୁ ବଡ଼ାଇକ, ଦଶରଥ ସିଂହ, ଟୁଲୁ ସିଂହ, ବୁଲୁ ସିଂହ, ବାପି ସିଂହ, ପିନାକୀ ସିଂହ ଓ ସଂଗ୍ରାମ ସିଂହ। ସେହିଭଳି ଅନ୍ୟ ତିନି ଦୋଷୀ ଅନୀତା ସିଂହ, ରୀତା ସିଂହ ଓ ଲଳିତା ସିଂହଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ‌ଭୋଗିବାକୁ ପଡ଼ିବ।

୨୦୧୮ ମସିହା ମାର୍ଚ୍ଚ ୨ ତାରିଖ ଦିନ ଏହି ଘଟଣା ଘଟିଥିଲା। ଅଭିଯୁକ୍ତମାନେ ଗ୍ରାମର ଫଗୁ ସିଂହ(୬୦)ଙ୍କ ପତ୍ନୀ ଯଶୋଦା ସିଂହ(୫୫)ଙ୍କୁ ହତ୍ୟା କରିଥିଲେ। ସେତେବେଳେ ଡାଆଣୀ ସନ୍ଦେହରେ ହତ୍ୟା କରାଯାଇଥିବା ଆଲୋଚନା ହୋଇଥିଲା। ବାସ୍ତବରେ ଯଶୋଦାଙ୍କ ଜମି ହାତେଇବାକୁ ଦୋଷୀମାନେ ତାହାକୁ ଏକ ଡାଆଣୀ ଘଟଣାର ରୂପ ଦେଇ ସେମାନଙ୍କୁ ହତ୍ୟାକରିଥିବା ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଥିଲା।

ସମ୍ବନ୍ଧିତ ଖବର