ରାୟଗଡ଼ା: ଏକ ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଳ୍ପନା ସ୍ବାଇଁ ରାୟ ଦେଇଛନ୍ତି । ଏହି ହତ୍ୟା ମାମଲାର ବିଚାର କରି ଗୁରୁବାର ଅଭିଯୁକ୍ତ ଅଶୋକ ଗୌଡ଼,ଭାଗିରଥୀ ଗୌଡ଼ ଓ ବିକ୍ରମ ଗୌଡ଼ଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏହି ହତ୍ୟାକାଣ୍ଡ ଘଟଣାରେ ୨୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପରେ ଦଫା ୩୦୨/୩୪ ଆପିସି,ଆରଡବ୍ଲ୍ୟୁ ୩(୧)(ଆର)(ଏସ)/୩(୨)(ଭି)(ଭିଏ) ଏସସି ଏବଂ ଏସ ଟି (ପିଓଏ) ଆକ୍ଟ ଆଧାରରେ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ କରାଯାଇଛି।
ଜରିମାନା ଅନାଦେୟ ହେଲେ ଅଧିକା ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଘଟଣାର ୨ ବର୍ଷ ପରେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ମିଳିଛି।
ମିଳିଥିବା ସୂଚନା ମୁତାବକ, ଗତ ୨୦୨୩ ମସିହା ଜୁନ ୯ ତାରିଖ ସକାଳ ସମୟରେ କାଶୀପୁର ବ୍ଲକର ଗଜେନ୍ଦ୍ର ନାୟକ କୋଶନଦୋରା ଗ୍ରାମରେ ଥିବା ଜମିରେ ସମତଳ ହେଉଥିବା କାର୍ଯ୍ୟକୁ ତଦାରଖ ପାଇଁ ଯାଇଥିଲେ । ଜେସିବି ମେସିନ ଦ୍ବାରା ଅପରେଟର ରଘୁ ଝୋଡିଆ ଏବଂ ତାଙ୍କର ସହଯୋଗୀ ଅନନ୍ତ ମାଝି ଏବଂ ଚୈତନ୍ୟ ମାଝି ଏହି କାର୍ଯ୍ୟ କରୁଥିଲେ।
ସେହି ସମୟରେ ଭାଗିରଥୀ ଗୌଡ଼ ଓ ତାଙ୍କର ୨ ସହଯୋଗୀ ଅଶୋକ ଗୌଡ଼ ଓ ବିକ୍ରମ ଗୌଡ ସେହି ସ୍ଥାନକୁ ଆସି ଆମ ଜମି କେଉଁଠି ଅଛି ଦେଖାଇବା ପାଇଁ କହିବା ସହ ସେମାନେ ସାଙ୍ଗରେ ଆଣିଥିବା ଟାଙ୍ଗିଆ ଦ୍ବାରା ପ୍ରଥମେ ତାଙ୍କ ଗୋଡ ଏବଂ ପରେ ବେକକୁ ଆକ୍ରମଣ କରିଥିଲେ । ସେଠାରେ କାର୍ଯ୍ୟ କରୁଥିବା ଲୋକେ ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଜମିରେ କାର୍ଯ୍ୟ କରୁଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଜେନ୍ଦ୍ରଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଜେନ୍ଦ୍ରଙ୍କ ପୁତ୍ର ମିହିର କୁମାର ନାୟକ ଏନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । କାଶୀପୁର ପୁଲିସ ଏହି ଘଟଣାର ତଦନ୍ତ କରି ୧୨/୦୬/୨୩ ତାରିଖ ଦିନ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ହୋଇଥିବା ୩ଟି ଟାଙ୍ଗିଆକୁ ଜବତ କରିଥିଲେ । ସରକାରଙ୍କ ତରଫରୁ ଏହି ମାମଲାକୁ ଏପିପି ରାମପ୍ରସାଦ ପାତ୍ର ପରିଚାଳନା କରୁଥିଲେ ।
Rayagada | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/30/life-imprisonment-for-3-people-in-murder-case-2025-08-30-17-41-46.jpg)