ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଦୌରା ଓ ଦେୱାନି ଜଜ୍‌ ଆଜି ଏକ ହତ୍ୟା ମାମଲାର ରାୟ ପ୍ରକାଶ କରି ଗୋଟିଏ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଫରସରା ଗ୍ରାମର କ୍ଷମା ହାତୀ ଓ ସାନ ଭାଇ ଗଣପତି ହାତୀଙ୍କ ଜମିବାଡ଼ିକୁ ନେଇ ବିବାଦ ଚାଲିଥିଲା। ୧ ଜୁଲାଇ ୨୦୧୩ରେ ସାନଭାଇ ଗଣପତି ହାତୀ (୬୦) ପରିବାର ସହ ଘରେ ରାତି ଖାଉଥିବା ସମୟରେ ବଡ଼ ଭାଇ କ୍ଷମା ହାତୀ (୬୫), ସ୍ତ୍ରୀ ଅନୀ ହାତୀ (୫୮), ପୁଅ ଧନଜିତ ହାତୀ (୩୦) ଓ ବହୂ ସବିତା ହାତୀ (୩୦) ଗଣପତିଙ୍କ ଘରେ ପହଞ୍ଚି ତାଙ୍କୁ ଘରୁ ବାହାରକୁ ଟେକି ନେଇଥିଲେ।

Advertisment

ପରେ କ୍ଷମା ଏକ ଲୁହା ରଡ଼ରେ ମୁଣ୍ଡରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଗଣପତି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମୃତକଙ୍କ ସ୍ତ୍ରୀ କାନ୍ତି ହାତୀ ବୋଡ଼େନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁକରି ଏହି ଘଟଣାରେ ଗୋଟିଏ ପରିବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଶୁକ୍ରବାର ନୂଆପଡ଼ା ଜିଲ୍ଲା ଦୌରା ଓ ଦେୱାନି ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ମାମଲାର ରାୟ ପ୍ରକାଶ କରି ୪ ଜଣ ଅଭିଯୁକ୍ତ କ୍ଷମା ହାତୀ, ସ୍ତ୍ରୀ ଅନୀ ହାତୀ, ପୁଅ ଧନଜିତ ହାତୀ, ବହୂ ସବିତା ହାତୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରୀ କ୍ୟାଡର ପିପି ବେଣୁଲାଲ ପ୍ରଧାନ ମାମଲା ପରିଚାଳନା କରିଥିଲେ।