ବୌଦ୍ଧ: ତିନି ବର୍ଷ ତଳର ଏକ ହତ୍ୟା ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ଓ ଦୌରାଜଜ୍ ପ୍ରତାପ ପାତ୍ର ରାୟ ଶୁଣାଇଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁହେଁ ହେଲେ ସରସରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପୁଅ ନାରାୟଣ ସ୍ୱାଇଁ।

Advertisment

ସୂଚନା ମୁତାବକ, ୨୦୨୧  ଜୁନ୍ ୪ତାରିଖରେ ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମର ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ କ୍ଷତବିକ୍ଷତ ଶବ ରାଧାବାହାଲି ସେତୁ ନିକଟ ରାସ୍ତାକଡ଼ରେ ପଡ଼ିଥିବା ଖବର ପାଇ ବୌଦ୍ଧ ଥାନା ପୁଲିସ ପହଞ୍ଚିଥିଲା। ଶବ ବ୍ୟବଚ୍ଛେଦ ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମୃତକଙ୍କ ବାପା ଗଣ୍ଡାଧର ସ୍ୱାଇଁଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।  ଅନ୍ତର୍ଯ୍ୟାମୀଙ୍କ ହତ୍ୟା ଅଭିଯୋଗରେ ସରସରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପୁଅ ନାରାୟଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ବିଚାର ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ହୋଇଥିଲା। ପୁଲିସର ଚାର୍ଜସିଟ୍ ଦାଖଲ ସହ ୨୧ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଜିଲ୍ଲା ଓ ଦୌରାଜଜ୍ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।