ବ୍ୟାସନଗର : କୋରେଇ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମର ଲିପ୍ସିତା ସାହୁଙ୍କୁ ଯୌତୁକ ହତ୍ୟା ମାମଲାରେ ସ୍ବାମୀ ସୁରେଶ ସାହୁ ଓ ଶାଶୂ ଚଞ୍ଚଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୯ ମସିହା ଅକ୍ଟୋବର ୩୦ ତାରିଖରେ ଏନେଇ ହୋଇଥିବା ଅଭିଯୋଗର ଶୁଣାଣି କରି ଯାଜପୁରରୋଡର ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ହୃଷୀକେଶ ଆଚାର୍ଯ୍ୟ ଏହି ରାୟ ଦେଇଛନ୍ତି।
ପ୍ରକାଶ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତୋରତ ଗ୍ରାମର ବିଳାସ ଚନ୍ଦ୍ର ଦାସଙ୍କ ଝିଅ ଲିପ୍ସିତା ଜଳନ୍ଦା ଗ୍ରାମର ସୁରେଶକୁ ବିବାହ କରିଥିଲେ। ଅଧିକ ୫୦ ହଜାର ଟଙ୍କା ଯୌତୁକ ପାଇଁ ସ୍ବାମୀ ଓ ଶାଶୂ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ୨୦୧୯ ମସିହା ଅକ୍ଟୋବର ୨୩ ତାରିଖରେ ଅଭିଯୁକ୍ତମାନେ ଲିପ୍ସିତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ବାପା ବିଳାସ ଦାସ ୨୦୧୯ ମସିହା ଅକ୍ଟୋବର ୩୦ ତାରିଖରେ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ।
ତତ୍କାଳୀନ ଥାନା ଅଧିକାରୀ ରଂଜିତ ମହାନ୍ତି ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ୧୯ ଜଣ ସାକ୍ଷୀଙ୍କ ବୟାନ ଓ ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦିକୁ ଭିତ୍ତିକରି ମାନ୍ୟବର ବିଚାରପତି ଶ୍ରୀ ଆଚାର୍ଯ୍ୟ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କାର ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୬ମାସ ଅଧିକ କାରାଦଣ୍ଡ ପାଇଁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନିନେନ୍ଦୁ ରଞ୍ଜନ ଦାସ ମାମଲା ପରିଚାଳନା କରିଥିଲେ। ଆଇନଜୀବୀ ରଜତ ରାଉତ ମାମଲା ପରିଚାଳନାରେ ସହଯୋଗ କରିଥିଲେ।