ସମ୍ବଲପୁର: ହୀରାକୁଦ ଅଞ୍ଚଳର ଜଣେ ନାବାଳିକା(୧୧) ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲା। ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଶ୍ଵ ରଞ୍ଜନ ବେହେରା ଏହି ମାମଲାରେ ଅଭିଯୁକ୍ତ ହୀରାକୁଦ ଫଲ୍ସାକଣ୍ଟାର ବିପିନ ହରିପାଲ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ, ହୀରାକୁଦ ଥାନା ଅଞ୍ଚଳର ନାବାଳିକା(୧୧) ଜଣକ ୨୦୧୫ ଏପ୍ରିଲ୍ ୧୧ ତାରିଖ ଦିନ ଶୌଚ ହେବାକୁ ନିକଟସ୍ଥ ଅଞ୍ଚଳକୁ ଯାଇଥିଲେ। ବିପିନ ତାଙ୍କ ପିଛା କରି ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ବାପାଙ୍କର ସନ୍ଦେହ ହୋଇଥିଲା। ଖୋଜି ଖୋଜି ନାବାଳିକାଙ୍କ ବାପା ସେଠାରେ ପହଞ୍ଚିବା ଦେଖି, ଦୁଷ୍କର୍ମ କରୁଥିବା ବିପିନ ଦେଖି ସେଠାରୁ ଫେରାର୍ ହେବାକୁ ପ୍ରୟାସ କରିଥିଲା। କିନ୍ତୁ ତାକୁ ନାବାଳିକାଙ୍କ ବାପା ଓ ପଡ଼ାବାସୀ କାବୁ କରି ନେଇଥିଲେ।
ଏ ନେଇ ନାବାଳିକାଙ୍କ ବାପା ସେହିଦିନ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିପିନକୁ ଗିରଫ କରିଥିଲା। ୨୦୧୫ରୁ ଅଭିଯୁକ୍ତ ଜେଲ୍ରେ ରହିଛି। ବିଶ୍ଵ ରଞ୍ଜନ ବେହେରା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଶୁକ୍ରବାର ଏହି ମାମଲାରେ ଶୁଣାଣି ହୋଇଥିଲେ। ମାମଲାରେ ମୋଟ ଉପରେ ୨୩ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଥିଲେ। ଏହା ସହିତ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଅନାଦେୟ ହେଲେ ଆଉ ୨ ମାସ କାରାଦଣ୍ଡାଦେଶ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ପୀଡ଼ିତାଙ୍କ ପକ୍ଷରୁ ଲଢ଼ିଥିଲେ।