ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଜଗଦଲପୁର ଥାନା ଅଧୀନସ୍ଥ ଧୁମାଭଟା ଗ୍ରାମରେ ଗତ ୨୮.୮.୨୦୧୭ ରେ ଜନୈକ ମହିଳାଙ୍କୁ ତାଙ୍କ ସଉତୁଣୀ ହତ୍ୟା କରିଥିଲା। ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସୂଚନାନୁସାାରେ ଧୁମାଭଟା ଗ୍ରାମର ମୋତିଲାଲ ସାହୁ ୨୦୦୩ରେ ସୋହେଲା ଥାନା ଜଟଲା ଗ୍ରାମରେ ପଦ୍ମିନୀ ସାହୁଙ୍କୁ ବିବାହ କରିଥିଲେ। ମାତ୍ର ୨୦୦୫ରେ ପତିପତ୍ନୀଙ୍କ ମଧ୍ୟରେ କଳହ ହେବାରୁ ପଦ୍ମିନୀ ଶିଶୁ ପୁତ୍ର ସହ ବାପଘରକୁ ଚାଲି ଯାଇଥିଲେ।
ଉଭୟ ପତିପତ୍ନୀଙ୍କ ମଧ୍ୟରେ ସଂପର୍କ ଛିନ୍ନ ହୋଇଥିଲା। ତେଣୁ ୨୦୧୦ରେ ମୋତିଲାଲ ବରିକେଲ ଗ୍ରାମର ରୀନା ସାହୁଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପରେ ଆପୋସ ବୁଝାମଣାରେ ପଦ୍ମିନୀଙ୍କୁ ଆଣି ସମସ୍ତେ ଏକାଠି ରହୁଥିଲେ। କିନ୍ତୁ ପ୍ରତ୍ୟେକ ଦିନ ପଦ୍ମିନୀ ଓ ରୀନା ମଧ୍ୟରେ କଳିଗୋଳ ଲାଗି ରହୁଥିଲା। ୨୮.୮.୨୦୧୭ ସକାଳେ ଘରେ କେହି ନ ଥିବା ବେଳେ ଘର ଭିତର ବାରଣ୍ତାରେ ଏକ ଖଟ ଉପରେ ପଦ୍ମିନୀ ଶୋଇଥିଲେ। ଏହି ସୁଯୋଗରେ ରୀନା ଏକ ଟାଙ୍ଗିଆରେ ତାଙ୍କ ବେକକୁ ଚୋଟ ପକାଇଥିଲା।
ବାରମ୍ବାର ଚୋଟ ପକାଇବାରୁ ପ୍ରବଳ ରକ୍ତସ୍ରାବ ହୋଇ ପଦ୍ମିନୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ହତ୍ୟା କରିବା ପରେ ରୀନା ତା’ର ଭେଉଁରିଆରେ ଜଣେ ସଂପର୍କୀୟ ଘରେ ଆତ୍ମଗୋପନ କରିଥିଲା। ତତ୍କାଳୀନ ଜଗଦଲପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଅଲ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଭେଉଁରିଆରୁ ରୀନାକୁ ଗିରଫ କରିଥିଲେ। ଏ ନେଇ ଥାନା କେସ୍ ନଂ ୯୪/୨୦୧୭ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲେ। ଗତ ୨୬ ତାରିଖରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ରଥ ସାକ୍ଷ୍ୟ ପ୍ରମାଣ ଓ ପୁଲିସର ଚାର୍ଜସିଟ୍କୁ ଆଧାର କରି ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ତ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆହୁରି ଏକ ବର୍ଷ ଜେଲ୍ ଦଣ୍ତ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଜନୀକାନ୍ତ ଦାସ କେସ୍ ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)