କେନ୍ଦୁଝର : ପତ୍ନୀକୁ ପଥର ଛେଚି ହତ୍ୟା କରିବା ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍‌ ଚିତ୍ତରଂଜନ ମହାପାତ୍ର ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍‌।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ତେଲକୋଇ ଥାନା ବଡ଼ଖମଣ ଗାଁର ବାବୁଲି ମହ୍ଲାର ଓ ତାଙ୍କ ସ୍ତ୍ରୀ ବର୍ଷା ମହ୍ଲାରଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏହାକୁ ନେଇ ପରିବାରରେ ବିଭିନ୍ନ ସମୟରେ ଅଶାନ୍ତି ସୃଷ୍ଟି ହେଉଥିଲା। ୨୦୧୭ ଜୁଲାଇ ୪ ତାରିଖ ସନ୍ଧ୍ୟାରେ ସ୍ୱାମୀସ୍ତ୍ରୀ ହାଟରୁ ଫେରୁଥିଲେ। କଳାପାଟ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ପୂର୍ବ ଯୋଜନା ମୁତାବକ ବାବୁଲି ସ୍ତ୍ରୀ ବର୍ଷାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀଙ୍କୁ ହାତୀ ମାରିଥିବା ନେଇ ପରଦିନ ବନ ବିଭାଗକୁ ସୂଚନା ଦେଇଥିଲା। ବନ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଉକ୍ତ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ନଥିବା ଜଣାପଡ଼ିଥିଲା। ଏହାକୁ ନେଇ ସନ୍ଦେହ ହେବାରୁ ବନ ବିଭାଗ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲା।

ପୁଲିସ ପହଞ୍ଚିବା ପୂର୍ବରୁ ବ‌ାବୁଲି ଶବ ପୋତି ଦେଇଥିଲା। ପୁଲିସ ତାକୁ ଅଟକ ରଖି ପଚରାଉଚରା କରିବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ୬ ତାରିଖରେ ମୃତ ବର୍ଷାଙ୍କ ଭାଇ ଚିନ୍ତା ମହ୍ଲାରଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନମ୍ବର ୮୦/୨୦୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାବୁଲିକୁ କୋର୍ଟଚାଲାଣ କରିଥିଲା। ୧୫ଜଣ ସାକ୍ଷୀଙ୍କ ବୟାନ, କେମିକାଲ ଯାଞ୍ଚ ଏବଂ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଆଜି କୋର୍ଟ ଉ‌ପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ।