ସମ୍ବଲପୁର : ଆଜି ଅତିରିକ୍ତ ଜିଲ୍ଲା ଜଜ୍(ପ୍ରଥମ) ଦେବାଶିଷ ପଣ୍ଡା ଏକ ହତ୍ୟା ମାମଲାର ରାୟ ଶୁଣାଇ ଅଭିଯୁକ୍ତ ଯୁଗେଶ୍ବର ଓରାମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଡାକଡେରା ଗାଁ ମହାଲିମ ପଡ଼ା ନିବାସୀ ଯୁଗେଶ୍ବର ଓରାମ ଓ ତାଙ୍କ ପତ୍ନୀ ସୁନାଫୁଲ ଓରାମଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ସେମାନେ ୧୫ ବର୍ଷ ତଳେ ବିବାହ କରିଥିବା ବେଳେ ଯୁଗେଶ୍ବର ପତ୍ନୀ ସୁନାଫୁଲଙ୍କୁ ନିର୍ଯାତନା ଦେଉଥିଲା। ଗତ ୧୦ ନଭେମ୍ବର ୨୦୧୫ ସକାଳ ୮ଟାରେ ଯୁଗେଶ୍ବର ଏକ ଲୁହା ରଡ଼ରେ ପତ୍ନୀ ସୁନାଫୁଲଙ୍କ ମୁଣ୍ଡରେ ପିଟି ଦେଇଥିଲେ। ଖବର ପାଇ ସୁନାଫୁଲଙ୍କ ପିତା ସେଠାରେ ପହଂଚି ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ବିଚାର ବେଳେ ୧୪ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ଆଜି ଏହି ମାମଲାର ରାୟ ଶୁଣାଇ ଅତିରିକ୍ତ ଜିଲ୍ଲା ଜଜ୍(ପ୍ରଥମ) ଦେବାଶିଷ ପଣ୍ଡା ପତ୍ନୀ ହତ୍ୟାକାରୀ ଯୁଗେଶ୍ବର ଓରାମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମହମ୍ମଦ ସାବିର ଅହମଦ ଏହି ମାମଲାର ପରିଚାଳନା କରୁଥିଲେ।