ବ୍ୟାସନଗର/କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ପନାସିଆ ଗାଁରେ ଘଟିଥିବା​ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଶୁକୁରା ମୁଣ୍ଡା(୩୦)କୁ ଯାଜପୁରରୋଡ୍‌ ଏଡିଜେ କୋର୍ଟ ଆଜି ଆଜୀବନ କାରାଦଣ୍ତାଦେଶ ଶୁଣାଇଛନ୍ତି । ୨୦୧୯ ଅଗଷ୍ଟ ୧୪ ତାରିଖରେ ଶୁକୁରା ତା' ସଂପର୍କୀୟ ମାମୁ ଜଗତା ମୁଣ୍ଡା(୬୦)ଙ୍କୁ ହତ୍ୟା କରିଥିଲା।

Advertisment

ଘଟଣା ଅନୁଯାୟୀ ଶୁକୁରା ଓ ସାଥୀମାନେ ଗାଁରେ ଏକ ଛେଳି ଚୋରାଇ ନେଇ ଏହାକୁ ମାରି ଭୋଜିକରି ଖାଇଥିଲେ। ଚୋରି ଘଟଣାକୁ ନେଇ ଗ‌ାଁରେ ଗ୍ରାମସଭା ବସିଥିଲା। ଛେଳି ଚୋରି ସଂପର୍କରେ ଜଗତାଙ୍କ ତଥ୍ୟ ଆଧାରରେ ଶୁକୁରାକୁ ଗାଁ ନିଶାପରେ ଡକା ଯାଇଥିଲା। ହେଲେ ସେ ଆସିନଥିଲା। ତାକୁ ଚୋର ଦର୍ଶାଇବା‌ରେ ମାମୁ ଜଗତା ଦାୟୀ ବୋଲି ସେ ଧରି ନେଇଥିଲା। ସେଦିନ ଜଗତା ନିଜ ଘର ପିଣ୍ଡାରେ ଏକୁଟିଆ ବସିଥିବା ବେଳେ ଶୁକୁରା ତାଙ୍କ ବେକ ପଛକୁ ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ମୃତକଙ୍କ ଝିଅ ଜେମା ସେଦିନ ରାତି ଥାନାରେ ଏତଲା ଦାଏର କରିଥିଲେ। ଆଇପିସି ଦଫା ୩୦୨ ଆଧାରରେ ଏକ କେସ୍‌ ୭୫/୨୦୧୯ ରୁଜୁ ହୋଇଥିଲା। ଘଟଣାର ୫ ଦିନ ପରେ ପୁଲିସ ଶୁକୁରାକୁ ଗାଁ ଜଙ୍ଗଲରୁ ଗିରଫ କରିଥିଲା।

ତେବେ ବିଚାରାଧୀନ ବନ୍ଦୀ ଭାବେ ରଗଡ଼ି ଉପକାରାଗାରରେ ରହୁଥିବା ସମୟରେ ସେ ଯକ୍ଷ୍ମା ରୋଗାକ୍ରାନ୍ତ ହୋଇଥିଲା। ଶୁକୁରାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ଜୁନ ୩୦ ତାରିଖ ସେ ପାଇଖାନା ଯିବା ବାହନାରେ ପୁଲିସକୁ ଚକ୍‌ମା ଦେଇ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଥିଲା। ସପ୍ତାହ ଧରି ଆତ୍ମଗୋପନ କରିଥିବା ବେଳେ ସେହି ଗାଁ ପାଖ ଜଙ୍ଗଲରେ ସେ ପୁଣି ପୁଲିସ ପଞ୍ଝାରେ ପଡ଼ିଥିଲା। ୪ ବର୍ଷର ବିଚାର ଚାଲିବା ଭିତରେ ୨୪ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଏଡିଜେ ହୃଷୀକେଶ ଆଚାର୍ଯ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତାଦେଶ ଶୁଣାଇଛନ୍ତି। ଏଥିସହ ୫‌ ହଜାର ଟଙ୍କା ଜରିମାନା ଏବଂ ଅନାଦାୟ ହେଲେ ଅତିରିକ୍ତ ୬ମାସ ଦଣ୍ତାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରୀ ଓକିଲ ନିନେନ୍ଧୁ ରଂଜନ ଦାସ, ରଜତ କୁମାର ରାଉତ ପରିଚାଳନା କରିଥିଲେ।