ଭଙ୍ଗା ଘରେ ଦୁର୍ବିସହ ଜୀବନ: ସର୍ଭେର ୩ ବର୍ଷ ପରେ ବି କାର୍ଯ୍ୟାଦେଶ ମିଳୁନି

ଜୟପୁର: ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିଲା। ଇଟା ଓ ଭଙ୍ଗା ଆଜବେଷ୍ଟସ୍‌ ଗୋଟାଇ ଘର ମରାମତି କରିଥିଲେ। ଆବାସ ‌ଯୋଜନାରେ ଘରଟିଏ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ଟିମ୍ ଗାଁକୁ ଆସି ସର୍ଭେ କରିଥିଲେ। ସର୍ଭେକୁ ୩ ବର୍ଷ ବିତିଗଲାଣି କିନ୍ତୁ ଏଯାଏଁ କାର୍ଯ୍ୟାଦେଶ ମିଳୁନାହିଁ। ଭଙ୍ଗା ଘରେ ଦୁର୍ବିସହ ଜୀବନ ଜିଉଁଥିବାବେଳେ ଆବାସ ପାଇଁ ଜଗିବସିଛନ୍ତି ଦୁଇ ପରିବାର। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣୀପୁଟ ଗାଁରେ ଏହାର ଏକ ପ୍ରତିଛବି ସାମ୍‌ନାକୁ ଆସିଛି। ଆବାସ ଘର ମିଳିବା ନେଇ ଉକ୍ତ ଗ୍ରାମର ଦୁର୍ଦ୍ଦଶାଗ୍ରସ୍ତ ‌ କୁଶଳ ହିଆଲ ଓ ଭାନୁମତି ବାଘଙ୍କ ପରିବାର ଚାହିଁ ବସିଛନ୍ତି।

୩ବର୍ଷ ତଳର କଥା। ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଯେଉଁଥିରେ ବାରିଣୀପୁଟ ଗ୍ରାମରେ କେତେକ ଘର ଭାଙ୍ଗି ଯାଇଥିଲା। ଏଥିରୁ ବାଦ ପଡ଼ିନଥିଲା କୁଶଳ ଓ ଭାନୁମତିର ଘର। କୁଶଳ ଓ ଭାନୁମତି ସମେତ ସେହି ଗ୍ରାମର ଅନ୍ୟ ୨ ଜଣ ମଧ୍ୟ ଆବାସ ଯୋଜନାରେ ଘର ପ୍ରଦାନ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ସେଠାରୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ପରେ ସେମାନେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନିକଟକୁ ଯାଇଥିଲେ। ସେମାନଙ୍କୁ ଘର ପ୍ରଦାନ ପାଇଁ ବିଧାୟକ ସୁପାରିଶ କରିଥ‌ିଲେ। ବ୍ଲକ ପକ୍ଷରୁ ଏକ ଟିମ୍ ଯାଇ ବାରିଣୀପୁଟ ଗ୍ରାମରେ ପହଞ୍ଚି ସର୍ଭେ କରିଥିଲେ। କୁଶଳ ଓ ଭାନୁମତିଙ୍କ ଘରେ ସେହି ଟିମ୍ ପହଞ୍ଚି ସର୍ଭେ କରିଥିଲେ। ପରେ ସେହି ରିପ‌ୋର୍ଟକୁ ବ୍ଲକ କର୍ତ୍ତୃପକ୍ଷ ଡିଆରଡିଏ କାର୍ଯ୍ୟାଳୟକୁ ପଠାଇଦେଇ‌ଥିଲେ। କିଛି ମାସ ପରେ ସେହି ଗ୍ରାମର ଘର ଭାଙ୍ଗି ଯାଇଥିବା ୨ ପରିବାରକୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ମିଳିଥିଲା। ସେମାନେ ଘର ତିଆରି ଆରମ୍ଭ କରିଦେଇଥିଲେ। କିନ୍ତୁ ତାପରେ ମଧ୍ୟ ତାଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ମିଳିପାରିଲା ନାହିଁ ବୋଲି କୁଶଳ ଓ ଭାନୁମତି କହିଛନ୍ତି। ସର୍ଭେକୁ ୩ ବର୍ଷ ହେଲାଣି କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ଭଙ୍ଗା ଘ‌ରେ ଦୁର୍ବିସହ ଜୀବନ ବିତାଉଥିବା ଗ୍ରାମବାସୀ କହିଛନ୍ତି।

କୁଶଳଙ୍କ ପରିବାର କହିଲେ ତାଙ୍କ ପତ୍ନୀ ଓ ୨ ପୁଅ। ସମେସ୍ତ କୁଲି କାମ କରି ଟଙ୍କା ଆଣୁଛନ୍ତି, ଯେତିକି ଟଙ୍କା ଆଣୁଛନ୍ତି ପରିବାର କଷ୍ଟରେ ଚଳିଯାଉଥିବା ବେଳେ ଘର ମଧ୍ୟ ତିଆରି କରିପାରୁ ନାହାନ୍ତି। ବର୍ଷାରେ ଘର ଭାଙ୍ଗି ଯାଇଥିବା ବେଳେ ଆଜବେଷ୍ଟସ୍‌ଟକୁ ଗୋଟାଇ ରଖିଥିଲେ। ଘରର ଦୁଇ ପଟେ ଇଟା କାନ୍ଥ ରହିଥିବା ବେଳେ ଅନ୍ୟ ଦୁଇ ପଟେ ଆଜବେଷ୍ଟସ୍‌କୁ କାନ୍ଥ ଭଳି ରଖିଛନ୍ତି। ଦୁଇ ବଖରା ଘରେ ସମ୍ପୂର୍ଣ୍ଣ ପରିବାର ଚଳୁଛନ୍ତି ବୋଲି କୁଶଳ କହିଛନ୍ତି। ସେହିପରି ଭାନୁମତି ବାଘ ଗୋଟିଏ ବଖରା ଘରେ ରହୁଥିଲେ, ଘର ସମ୍ମୁଖରେ ପନିପରିବା ଆଣି ବିକ୍ରି କରୁଥିଲେ। କିନ୍ତୁ ବର୍ଷାରେ ଘର ଭାଙ୍ଗି ଯିବାରୁ ପୂର୍ବଭଳି ରୋଜଗାର କରିପାରୁ ନାହାନ୍ତି। ମୁଣ୍ଡରେ ପନିପରିବାର ଝୁଡି ନେଇ କେଉଁ ଦିନ ବିକିବାକୁ ଯାଉଛନ୍ତି ତ ଆଉଁ କେଉଁ ଦିନ ଯାଇପାରୁନାହାନ୍ତି। ସାନ ପୁଅ ବୋହୂ ପାଖରେ ରହୁଛନ୍ତି। ତା’ର ଦୁଇ ବଖରା ଘର ଅଛି, ସେଥିରେ ଟିଣରୁ ପାଣି ଗଳୁଛି ରାତିରେ ତାରା ଦିଶୁଛି। ଏଭଳି ଘରେ ତାଙ୍କର ଜୀବନ କଟୁଛି ବୋଲି ଭାନୁମତି କହିଛନ୍ତି।

ସମ୍ବନ୍ଧିତ ଖବର