କେ. ଶିବପ୍ରସାଦ ଦୋରା
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ୧୧ ବ୍ଲକ୍ ମଧ୍ୟରୁ ୪ ବ୍ଲକ୍ର ସୀମା ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଲାଗିଛି। ତେଣୁ ତେଲୁଗୁ ଭାଷା ଏବଂ ସଂସ୍କୃତିର ଭଲ ପ୍ରଭାବ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳେ। ବିଡ଼ମ୍ବନା ହେଲା ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଜୀବିକା ଲାଗି ନିଜ ଅଞ୍ଚଳରେ କୌଣସି ବ୍ୟବସ୍ଥା ନଥିବାରୁ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି।
ରାୟଗଡ଼ା, କୋଲନରା, ରାମନାଗୁଡ଼ା ଓ ଗୁଣପୁର ବ୍ଲକ୍ର କିଛି ଗାଁ ଆନ୍ଧ୍ର ସୀମାରେ ରହିଛି। ସ୍ବଳ୍ପ ବୃଷ୍ଟି ଯୋଗୁ କୃଷିରୁ ବିଶେଷ ଉପାର୍ଜନ ହେଉନି। ରୋଜଗାରର ଅନ୍ୟ ମାଧ୍ୟମ ଏଯାଏଁ ହୋଇପାରିନି। ତେଣୁ ସୀମାନ୍ତ ଗ୍ରାମବାସୀ ମୂଲ ଲାଗିବାକୁ ପ୍ରତିଦିନ ଆନ୍ଧ୍ରକୁ ଯାଉଛନ୍ତି। ରାମନାଗୁଡ଼ା ବ୍ଲକ୍ର ସୌରାଗୁଡ଼ା, କାଟିକି, ସୁଲୁଡ଼ୁ, କାପୁରଗୁଡ଼ା, ପାଲିକିଡ଼ଙ୍ଗା, ଆଚପା, ପିତାଲମାଙ୍ଗି, ଗୁଣପୁର ବ୍ଲକ୍ର ପାରିଡ଼ି, ମାରମା, ଗୋମୁ, ଗୁମୁଡୁଗୁଡା, କୁକୁରୁଗୁଡ଼ା, ଶ୍ରୀରାମପୁର, ମାରିଗୁଡ଼ା, ଶନାଇଗୁଡ଼ା, ଜଗନ୍ନାଥପୁର, କୋରମା, ବାତ୍ତିଲି, କୋଲନରା ବ୍ଲକର ଜୁମ୍ବୁରୀ, ମୁରଚିକଣା, ଲହରିଗୁଡ଼ା, ତୋଟାଗୁଡ଼ା, ରାୟଗଡ଼ା ବ୍ଲକର କେରଡ଼ା, ଆମ୍ପଲବାଲାସା ସହ ଆଉ କିଛି ଗାଁ ଆନ୍ଧ୍ର ସୀମାକୁ ଲାଗିଛି। ସୀମାନ୍ତ ଅଞ୍ଚଳରେ ଯେଉଁଭଳି ବିକାଶ ହେବା କଥା ହୋଇପାରିନି ବୋଲି ଆମ୍ପଲବାଲାସା ୱାର୍ଡସଭ୍ୟ କିଶୋର ଜିଲାକାରା କହିଛନ୍ତି।
ସୀମାନ୍ତରେ ଆନ୍ଧ୍ର ରାସ୍ତାଘାଟ ସହ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାର ରାସ୍ତାଘାଟ ଦୟନୀୟ। ବିକାଶ ବି ନଗଣ୍ୟ। ଏପରିକି ଓଡ଼ିଶା ଭାଷା ବି ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ପ୍ରାୟ ସ୍ଥାନରେ କେବଳ ତେଲୁଗୁ ଭାଷାର ଛାପ ଦେଖିବାକୁ ମିଳିଛି। ସୀମାନ୍ତ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ କମ୍ ଯୋଗୁ ବନ୍ଦ ହୋଇଯିବାରୁ ପିଲା ଶିକ୍ଷା ପାଇଁ ଆନ୍ଧ୍ରମୁହାଁ। ଲୋକେ ତେଲୁଗୁ ଆଉ ଆଦିବାସୀ ଭାଷା ଛାଡ଼ି ଅନ୍ୟ କୌଣସି ଭାଷା ଜାଣିନାହାନ୍ତି। ରାୟଗଡ଼ା ସଦର ବ୍ଲକ୍ର ସାନଲୁକୁଟି, ବଡ଼ଲୁକୁଟି, ଗୋସେଇଁକଣ୍ଟୁଆ, ରାମଗୁଡ଼ା, କେସେଡ଼ା, ସାନରାଇସିଂ, ଜିମିଡ଼ି, ତୁଳସୀୱାଲସା ଓ ହୁଲୁକି ପରି ପ୍ରାୟ ୧୧ରୁ ଊର୍ଦ୍ଧ୍ବ ବିଦ୍ୟାଳୟକୁ ଉପସ୍ଥାନ କମ୍ ଥିବା ଦର୍ଶାଇ ଶିକ୍ଷା ବିଭାଗ ବନ୍ଦ କରିଦେଇଛି। ତେଣୁ ଓଡ଼ିଶା ଭାଷା ଜାଣିବାରୁ ଏଠାକାର ପିଲା ବଞ୍ଚିତ ହୋଇଛନ୍ତି। ମନରେଗା ଭଳି ଯୋଜନାର ଲାଭ ପାଉନାହାନ୍ତି ସୀମାନ୍ତବାସୀ। ଫଳରେ ଓଡ଼ିଶାରେ ମାନଚିତ୍ରରେ ଗାଁ ରହିଥିଲେ ସୁଦ୍ଧା ଆନ୍ଧ୍ରର ପତିଆରା ବଢ଼ୁଛି। ଯାହାଫଳରେ ଆଗକୁ ଆନ୍ଧ୍ରରେ ମିଶ୍ରଣ ପାଇଁ ଆନ୍ଦୋଳନ ମୁଣ୍ଡ ଟେକିପାରେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।