ଭଂଜନଗର : ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୨ ବର୍ଷ ହେଲା ଏକ ଅବ୍ୟବହୃତ ପାଇଖାନା ଘରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି ମଞ୍ଜୁ। ପାଇଖାନା ଘରେ ହିଁ ଖାଇବା ପିଇବା, ସବୁ କିଛି। ବାପା ଚାଲିଯିବା ପରଠାରୁ ଯେମିତି ମଞ୍ଜୁଙ୍କ ଦୁନିଆ ଓଲଟପାଲଟ ହୋଇ ଯାଇଛି। ଏବେ ସେ ସମସ୍ତଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ବଢିଲା ଝିଅର ଏଭଳି ଦୁର୍ଦ୍ଦଶାରେ ମା’ ବି ମ୍ରିୟମାଣ। ହେଲେ ତାଙ୍କର ଉପାୟ ନାହିଁ। ପରିସ୍ଥିତିରେ ପଡ଼ି ଝିଅକୁ ଏପରି ପାଇଖାନାରେ ରଖିବାକୁ ବାଧ୍ୟ ହୋଇଛି ବୋଲି ମା’ ତମାଳ କହିଛନ୍ତି। ମଞ୍ଜୁଙ୍କ ଚିକିତ୍ସା ପାଇଁ ଜମିଠୁ ଆରମ୍ଭ କରି ଘରେ ଥିବା ସବୁ ସୁନା ଅଳଙ୍କାର ବିକି ସାରିଥିଲେ ବି କୌଣସି ସୁଫଳ ମିଳି ନଥିବା ଭାଇ କାହ୍ନଚରଣ କହନ୍ତି।

Advertisment

ଇଏ ହେଉଛି, ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ପୋଲସରା ବ୍ଲକ ବାଲିଛାଇ ଗ୍ରାମର ମାନସିକ ଭିନ୍ନକ୍ଷମ ଯୁବତୀ ମଞ୍ଜୁଙ୍କ କାହାଣୀ। ଜଗନ୍ନାଥ ପ୍ରଧାନଙ୍କ ମଝିଆ ଝିଅ ମଞ୍ଜୁଙ୍କ ଅବସ୍ଥା ୧୨ ବର୍ଷ ତଳେ ସ୍ୱାଭାବିକ ଥିଲା। ଏପରିକି ସେ ଜଣେ ଭଲ ଛାତ୍ରୀ ଥିଲେ। ଦୁଇ ଭଉଣୀ ଓ ଗୋଟିଏ ଭାଇଙ୍କ ତୁଳନାରେ ମଞ୍ଜୁ ଜଗନ୍ନାଥଙ୍କ ଗେଲବସର ଝିଅ ଥିଲେ। ହେଲେ ଅସୁସ୍ଥତା ଯୋଗୁଁ ଅଚାନକ ଜଗନ୍ନାଥଙ୍କ ଦେହାନ୍ତ ହୋଇଥିଲା। ଏହି ଘଟଣାରେ ମଞ୍ଜୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଲେ। ବାପାଙ୍କୁ ଝୁରି ଝୁରି କାହା ସହ କଥା ହେଲେନି କି ପାଠ ପଢିବାକୁ ଗଲେ ନାହିଁ। ଧୀରେ ଧୀରେ ନିଜ ମାନସିକ ସନ୍ତୁଳନ ହରାଇ ବସିଲେ। ଘରେ ନ ରହି ବାହାରେ ବୁଲିବା ସହ ସମସ୍ତଙ୍କୁ ଗାଳିଗୁଲଜ କଲେ।

ଫଳରେ ମା’ ତମାଳ ଓ ଭାଇ କାହ୍ନଚରଣଙ୍କ ଚିନ୍ତା ବଢିବାରେ ଲାଗିଲା। ବିଭିନ୍ନ ଜାଗାକୁ ମଞ୍ଜୁଙ୍କୁ ଚିକିତ୍ସା ପାଇଁ ନିଆଗଲା। ସୁନା ଅଳଙ୍କାର ଓ ଜମି ଯାହା କିଛି ଥିଲା ସବୁ ବିକ୍ରି କରିଦିଆଗଲା। ମଞ୍ଜୁଙ୍କ ବୟସ ବଢିଲା ସିନା, ସେ ସ୍ୱାଭାବିକ ସ୍ଥିତିକୁ ଆଇ ଫେରିଲେ ନାହିଁ। ଫଳରେ ବାଧ୍ୟ ହୋଇ ତାଙ୍କୁ ଘରେ ଥିବା ଏକ ଅବ୍ୟବହୃତ ପାଇଖାନାରେ ରଖି ଦିଆଯାଇଥିଲା। ଗୋଟିଏ ପାର୍ଶ୍ୱରେ ଲୁହାର ଜାଲି ତିଆରି କରି ଚାବି ପକାଇ ଦିଆଗଲା। ୧୨ ବର୍ଷ ହେଲା ମଞ୍ଜୁ ଏହି ପାଇଖାନା ଭିତରେ ରହୁଛନ୍ତି। ଲୁହା ଜାଲି ପଟେ ତାଙ୍କୁ ଖାଇବାକୁ ଦିଆଯାଉଛି। ବେଳେ ବେଳେ ମା’ ତମାଳ ଓ ଭାଇ କାହ୍ନଚରଣ ଚାବି ଖୋଲି ଭିତରକୁ ଯାଉଛନ୍ତି। ହେଲେ ମଞ୍ଜୁ ସେମାନଙ୍କୁ ନ ଚିହ୍ନିବା ଭଳି ରହୁଛନ୍ତି। ବେଳେ ବେଳେ କାନ୍ଦୁଛନ୍ତି। ଝିଅର ଏଭଳି ଦଶାରେ ତମାଳ ସବୁବେଳେ ବର୍ତମାନ ଲୁହ ଝରାଉଛନ୍ତି। ଚିକିତ୍ସା ପାଇଁ ବି ଆଉ ସମ୍ବଳ ନାହିଁ। ଏଭଳି ସ୍ଥିତିରେ ପ୍ରଶାସନ ସହଯୋଗର ହାତ ବଢାଇବା ପାଇଁ ସେ ନିବେଦନ କରିଛନ୍ତି।