ପଦ୍ମପୁର(ଯଶିପୁର) : ପରିଣତ ବୟସରେ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ଘର ନାହିଁ। ପାଇଖାନାରେ ଜୀବନ ବିତୁଛି। ଏମିତି ଦୁର୍ଭାଗ୍ୟକୁ ଆଦରି ନେଇ ଜୀବନ ଜୀଉଁଛନ୍ତି ବାସନ୍ତୀ ଦେହୁରୀ(୭୦)। ଯଶିପୁର ବ୍ଲକ ଅନ୍ତର୍ଗତ ଯାମଦାସାହି ପଞ୍ଚାୟତ ଗୌଡ଼ଗାଁରେ ତାଙ୍କ ଘର। ସୂଚନା ଅନୁସାରେ, ଆଜକୁ ୯ ବର୍ଷ ହେଲାଣି ବାସନ୍ତୀଙ୍କ ସ୍ୱାମୀ ସୀତାକାନ୍ତ ଆରପାରିକୁ ଚାଲିଗଲେ। ସେହି ଦିନରୁ ବାସନ୍ତୀ ଏକୁଟିଆ ହୋଇଗଲେ। ଆଶାଥିଲା, ପୁଅମାନେ ବୃଦ୍ଧା ବୟସରେ ତାଙ୍କୁ ପୋଷିବେ। କିନ୍ତୁ ବିବାହ ପରେ ୨ ପୁଅ ମା’ଠାରୁ ଭିନ୍ନ ହୋଇ ରହିଲେ। ସେମାନେ ନିଜ ସଂସାର ପାଇଁ ବ୍ୟସ୍ତ। ବୃଦ୍ଧା ବୟସରେ ବାସନ୍ତୀ ଆଉ କାମ କରିବାକୁ ଅକ୍ଷମ। ଭିକ ମାଗି ଚଳୁଛନ୍ତି ସେ। ମିଳିଲେ ଖାଆନ୍ତି, ନହେଲେ ଉପାସରେ ଦିନ କଟେ। ଏମିତି ସ୍ଥିତିରେ ଘର କେମିତି କରିବେ ସେ? ପୁଅକୁ ପାଇଖାନା ମିଳିଥିଲା। ଦିନସାରା ବାହାରେ ଭିକ ମାଗିବା ପରେ ସେହି ପାଇଖାନାରେ ତାଙ୍କର ରାତି କଟେ। ୪ବର୍ଷ ଧରି ସେହି ପାଇଖାନା ତାଙ୍କର ଘର ପାଲଟିଛି। ଆବେଦନ କରି ବି ତାଙ୍କୁ ସରକାରୀ ଗୃହଟିଏ ମିଳି ପାରିନି। ଘର ପାଇଁ କାହାକୁ କେମିତି କହିବେ, ସେ କଥା ବି ତାଙ୍କୁ ଜଣା ନାହିଁ। ବାସନ୍ତୀଙ୍କ ଦୁର୍ଦ୍ଦିନ ସଂପର୍କରେ ଜାଣି ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ନାୟକ ମାସିକ ଭତ୍ତା ଓ ଅନ୍ତୋଦୟ ଯୋଜନାରେ ରେସନ କାର୍ଡ କରାଇ ଦେଇଛନ୍ତି। ଘରଟିଏ ଯୋଗାଇ ଦେବାକୁ ଉଦ୍ୟମ କରୁଥିବା ସରପଞ୍ଚ ଶ୍ରୀମତୀ ନାଏକ ପ୍ରକାଶ କରିଛନ୍ତି। ତେବେ ଏଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି।
ପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ
/sambad/media/post_attachments/wp-content/uploads/2018/01/padmapur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)