ରାଉରକେଲା: ପୂର୍ବରୁ ଅତ୍ୟନ୍ତ ବିପଦ୍‌ଜନକଭାବେ ବାଉଁଶ ପୋଲ, ଡ୍ରମ୍‌ରେ ନିର୍ମିତ ଡଙ୍ଗାରେ ଦେଓ ନଦୀ ପାର୍‌ ହେଉଥିଲେ। ଏବେ ନଦୀର ଜଳସ୍ତର ଢ଼େର୍‌ ଅଧିକ ଥିବାରୁ ଅସ୍ଥାୟୀ ବ୍ୟବସ୍ଥାରେ ନଦୀ ପାର୍‌ କରିବା ସମ୍ଭବ ହେଉନି। କିନ୍ତୁ ରାଉରକେଲାକୁ ନଆସିଲେ ଘରେ ଚୂଳି ନ ଜଳିବାର ଆଶଙ୍କା ଥିବାରୁ ଆଉ ଏକ ଅସ୍ଥାୟୀ ବିକଳ୍ପକୁ ବାଛି ନେଇଛନ୍ତି। ଛଅ ବର୍ଷରୁ ଅଧିକ ସମୟ ହେଲା ବ୍ରିଜ୍‌ ଅଧପନ୍ତରିଆ ହୋଇପଡ଼ିରହିଛି। ବ୍ରିଜ୍‌ର ୫ଟି ସ୍ଲାବ୍‌ ମଧ୍ୟରୁ ଗୋଟିଏ ସ୍ଲାବ୍‌ ଏଯାଏ ନିର୍ମାଣ ହୋଇପାରିଲାନି। ଏଣୁ ଲୋକେ ଏକ ଲମ୍ବା ବାଉଁଶକୁ ଅର୍ଦ୍ଧନିର୍ମିତ ବ୍ରିଜ୍‌ ଉପରେ ଉଧେଇ ରଖିଛନ୍ତି। ପରେ ଉକ୍ତ ବାଉଁଶକୁ ଶିଢ଼ି ହିସାବରେ ବ୍ୟବହାର କରି ପାଖାପାଖି ୨୦ ଫୁଟ ଉପରେ ଥିବା ବ୍ରିଜ୍‌କୁ ଚଢ଼ି ନଦୀ ପାର୍‌ ହେଉଛନ୍ତି। ଏଭଳି ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ; ବରଂ ସ୍ମାର୍ଟସିଟି ରାଉରକେଲା ଉପକଣ୍ଠ ମିଟ୍‌କୁନ୍ଦୁରୀଠାରେ ଦେଖିବାକୁ ମିଳୁଛି।
Advertisment
publive-image
ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବା ବଦଳରେ ଅଭିଶାପ ପାଲଟିଛି ଦେଓ ନଦୀ। ଏହି ନଦୀ ଉପରେ ଅଧପନ୍ତରିଆ ହୋଇ ଛିଡ଼ାହୋଇଛି ଲହଣ୍ଡା-ମିଟ୍‌କୁନ୍ଦୁରୀ ସେତୁ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଉରକେଲା ସହର ଉପକଣ୍ଠ ଲହଣ୍ଡା ଠାରେ ଦେଓ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ଗତ ୨୦୧୭-୧୮ ମସିହାରେ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ବ୍ୟୟଅଟକଳ ପ୍ରାୟ ୭ କୋଟି ୬୮ ଲକ୍ଷ ଟଙ୍କା। ଛଅ ବର୍ଷରୁ ଅିକ ସମୟ ହେଲା ନିର୍ମାଣ ଚାଲିଛି; କିନ୍ତୁ ଶେଷ ହେବାର ନାଁ ନେଉନି। ଏବେ ବି ବ୍ରିଜ୍‌ ଉପରେ ଗୋଟିଏ ସ୍ଲାବ୍‌ ଓ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ସମ୍ଭବ ହେଉନି। ବାସ୍ତବରେ, କେବଳ ୭୩ ଡିସିମିଲ୍‌ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ପ୍ରକଳ୍ପର ଭାଗ୍ୟ ଫିଟୁନି। ମିଟ୍‌କୁନ୍ଦୁରୀଠାରେ ୨୭ ଡିସିମିଲ ଓ ଖୁଣ୍ଟଗାଁଠାରେ ୪୬ ଡିସିମିଲ ଜମି ଆବଶ୍ୟକ। ଉପଯୁକ୍ତ କ୍ଷତିପୂରଣ ଦାବିରେ ଜମି ଅଧିଗ୍ରହଣକୁ ବିରୋଧ କରାଯାଉଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ବି ସମସ୍ୟାର ସମାଧାନ କରିପାରୁନି। ବିଗତ ଦିନରେ ଏକାଧିକବାର ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜମିଅଧିଗ୍ରହଣ ପ୍ରକ୍ରିୟା ସମ୍ପନ୍ନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି; କିନ୍ତୁ ବାସ୍ତବରେ ଏହା କେବଳ ମିଛ ପ୍ରତିଶ୍ରୁତିରେ ପରିଣତ ହୋଇଛି।
publive-image
ଏହି ବ୍ରିଜ୍‌ ନିର୍ମାଣ ଏଯାଏ ସରୁନଥିବାରୁ କୁଆରମୁଣ୍ଡା-ନୂଆଗାଁ ବ୍ଲକ ଅଞ୍ଚଳର ବହୁ ପଞ୍ଚାୟତବାସୀ ଯାବତୀୟ ସମସ୍ୟା ଭୋଗୁଛନ୍ତି। ନୂଆଗାଁ ବ୍ଲକର ଲହଣ୍ଡା, ଅଙ୍କୁରପାଲି, ଲାଙ୍କଇ, କଦଳୀବାହାଲ, ସେମେର୍ତ୍ତା, ବାଲିମୁଣ୍ଡା, ବରେଇଗଡ଼ା, ସତରା, ବଣ୍ଡରାଏ, ମେନମେନା, ରେଙ୍ଗାଲବେଡା, ରୋକେଡେଗା, ବାଲିଆପୋଷ, ରାଣାକଟା, କନ୍ଦରକେଲା ଏବଂ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ରିଉଁ, ପସରା, ବିଜୁବନ୍ଧ, ସିଆଲଯୋର, ହରପାଲି, ରାମପୁର, କଚାରୁ, ସାନଦଲକି, ଝାରବେଡ଼ା, ଟାଙ୍ଗରାଣୀ, ଲୋହାମାଲ, କାରିଛାପଲ, କର୍ମାବାହାଲ ଆଦି ଗାଁର ଲୋକେ ସକାଳ ହେଲେରାଉରକେଲାକୁ ଆସିଥାନ୍ତି। ଏସବୁ ଅଞ୍ଚଳର ଦିନ ମଜୁରିଆ, ପରିବା ବେପାରୀ, ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ ନଦୀ ପାର୍‌ ହୋଇଆସିଥାନ୍ତି। କେବଳ ଏତିକି ନୁହେଁ; ବରଂ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକ ମଧ୍ୟ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। ବର୍ଷା ଦିନେ ଏମାନଙ୍କୁ ପାଖାପାଖି ୪୦ କିଲୋମିଟର ବୁଲି ରାଉରକେଲାକୁ ଆସିବାକୁ ପଡ଼ିଥାଏ। ଯଦ୍ବାରା ଉଭୟ ଆର୍ଥିକ କ୍ଷତି ସହିବାସହ ସମୟ ନଷ୍ଟ ହୋଇଥାଏ। ଏଣୁ ଏମାନେ ଜୀବନକୁ ବାଜି ଲଗାଇ ବାଉଁଶ ଶିଢ଼ିରେ ଚଢ଼ି ନଦୀ ପାର୍‌ ହେଉଛନ୍ତି।