ଦଶପଲ୍ଲା: ଅଣ୍ଟାରେ ଗାମୁଛା, ହାତରେ ବ୍ୟାଗ୍ ଓ ଚପଲ। ଶିକ୍ଷକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ହାତକୁ ହାତ ଧରାଧରି ହୋଇ ପାଣିରେ ପଶୁଛନ୍ତି। କେଉଁଠି ପାଣି ବେକ ଖାଉଛି ତ ପୁଣି କେଉଁଠି ଅଣ୍ଟାଏ। ପାଦେପାଦେ ଜୀବନ ପ୍ରତି ବିପଦ ରହିଥିବାବେଳେ ପାଠପଢ଼ିବା ପାଇଁ ଖରସ୍ରୋତା ନଦୀରେ ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରଛାତ୍ରୀ। ଦୈନିକ ୫୦ ଜଣ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ଏହିପରି ଭାବେ ପାର ହେଉଛନ୍ତି ଭରାନଈ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଘୁଗୁଡ଼ିପଡ଼ା ପଞ୍ଚାୟତ ଦେଇ ପ୍ରବାହିତ ହୋଇଥିବା ବୃତ୍ତଙ୍ଗ ନଦୀର କାଚପଲ୍ଲୀ ଓ ଖଜୁଡ଼ି ଘାଟରେ।
ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଏହି ନଦୀର ଗୋଟିଏ ପାର୍ଶ୍ବରେ ଶରଧାପୁର ୟୁଜିଏମ୍ଇ ବିଦ୍ୟାଳୟ ସହ କାଚପଲ୍ଲୀ ଲକ୍ଷ୍ମୀନାରାୟଣ ହାଇସ୍କୁଲ୍ ରହିଛି। ନଦୀର ଅପରପାର୍ଶ୍ବରେ ଥିବା ଘୁଗୁଡ଼ିପଡ଼ା ପଞ୍ଚାୟତର ଚମ୍ପାଡାଳି, ସିଲିଗାଡ଼ି, ଖଜୁଡ଼ି, ରାଇମଡ଼ା, ଜାନିସାହି, ଖଳିସାହି, ଖଣ୍ତାଧୁଆ ଏବଂ ଖଜୁରିଡିହ ଗ୍ରାମରେ ବିଦ୍ୟାଳୟର କୌଣସି ସୁବିଧା ନଥିବାରୁ ପ୍ରାୟ ୧ କିମି ନଦୀ ପାର୍ ହୋଇ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟକୁ ଆସିଥା’ନ୍ତି। ଖଳିସାହିରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଚଳିତବର୍ଷ ହାଇସ୍କୁଲ୍କୁ ୨୭ ଜଣ ଛାତ୍ରଛାତ୍ରୀ ଆସୁଥିବାବେଳେ ଶରଧାପୁର ୟୁଜିଏମ୍ଇ (୧ମରୁ ୮ମ) ବିଦ୍ୟାଳୟକୁ ୨୩ଜଣ ଛାତ୍ରଛାତ୍ରୀ ପାଠପଢ଼ିବାକୁ ଆସୁଛନ୍ତି। ହେଲେ, ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ସେମାନଙ୍କୁ ପାଠ ପଢ଼ିବାକୁ ଆସୁଥିବା କହିଛନ୍ତି ଛାତ୍ରଛାତ୍ରୀ।
ଏହିଭଳି ଏକ ସ୍ଥିତିରେ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/dasapalla-2.jpg)