ପୁରୀ: ବଢ଼ୁଛି ପାଣି ବୁଡ଼ି ମୃତ୍ୟୁହାର। ଅକାଳରେ ଲିଭିଯାଉଛି ଜୀବନ ଦୀପ। ସଚେତନତାର ଅଭାବ, ପହଁରା ଦକ୍ଷତା ନଥିବାରୁ ସଲିଳ ସମାଧି ନେଉଛି ଶହଶହ ଜୀବନ। ପୁରୀ ଜିଲ୍ଲାରେ ସର୍ବାଧିକ ଜୀବନ ନେଉଛି ସମୁଦ୍ର। ପୁରୀରେ ଗତ ୫ ବର୍ଷ ମଧ୍ୟରେ ୨୧୭ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ତିନି ବର୍ଷରେ ପାଣି ବୁଡ଼ି ମୃତ୍ୟୁହାର ୩ ଗୁଣା ବୃଦ୍ଧି ପାଇଛି। ସ୍ବତନ୍ତ୍ର ରିଲିଫ୍ କମିସନ୍ (ଏସ୍ଆର୍ସି)ଙ୍କ ବାର୍ଷିକ ରିପୋର୍ଟ ମୁତାବକ, ୨୦୨୦-୨୧ ମସିହାରେ ସମଗ୍ର ରାଜ୍ୟରେ ମୋଟ ୧୩୩୭ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ପୁରୀରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୧-୨୨ରେ ରାଜ୍ୟରେ ୧୨୦୯ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବେଳେ ପୁରୀରେ ଏହା ୪୦କୁ ବୃଦ୍ଧି ପାଇଥିଲା। ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ରେ ରାଜ୍ୟରେ ପାଣି ବୁଡ଼ି ମୃତ୍ୟୁ ସଂଖ୍ୟା ୧୭୩୮କୁ ବୃଦ୍ଧି ପାଇଥିବା ବେଳେ ପୁରୀରେ ୬୧ ଜଣ ମୃତ୍ୟୁବରଣ କରିଛନ୍ତି। ସେହିଭଳି ୨୦୧୯-୨୦ରେ ପୁରୀରେ ୪୮ ଜଣ ଏବଂ ୨୦୧୮-୧୯ରେ ୪୭ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗତ ୫ଟି ଆର୍ଥିକ ବର୍ଷରେ ମୋଟ୍ ୨୧୭ ଜଣ ସଲିଳ ସମାଧି ନେଇଛନ୍ତି। ଗତ ୩ ବର୍ଷରେ ୧୨୨ ଜଣ ମୃତ୍ୟୁବରଣ କରିଥିଲେ ହେଁ ସମୁଦାୟ ୯୫ ଜଣ ସରକାରଙ୍କ ପ୍ରଦତ୍ତ ସହାୟତା ରାଶି ୪ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି। ଅର୍ଥାତ ୨୭ ଜଣ ବିଭିନ୍ନ କାରଣ ଯୋଗୁ ଏଯାଏ ସରକାରୀ ସହାୟତା ରାଶି ପାଇନାହାନ୍ତି।
ପହଁରା ଦକ୍ଷତା ନଥାଇ, ବିନା ସୁରକ୍ଷାରେ ଗଭୀର ନଦୀ/ସମୁଦ୍ରକୁ ଯାଇ ସ୍ନାନ କରିବା ସଚେତନତାର ଅଭାବକୁ ପ୍ରମାଣିତ କରୁଛି। ମାତ୍ର ସଚେତନତା ସୃଷ୍ଟି କରିବା ଲାଗି ଏ କ୍ଷେତ୍ରରେ ପ୍ରାଶାସନିକ ସ୍ତରରେ ସେପରି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସରକାରଙ୍କୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିପଦପୂର୍ଣ୍ଣ ସ୍ଥାନରେ ଗାଧୋଇବା ଲାଗି ନିଷେଧାଦେଶ ଜାରି ସହ ସେଠାରେ ସାଇନ୍ ବୋର୍ଡ ସ୍ଥାପନ, ସର୍ବସାଧାରଣ ଗାଧୋଇବା ସ୍ଥାନରେ ତାରବାଡ଼ ଘେରାଇ ସ୍ନାନ ପାଇଁ ବାରଣ କରିବା, ଗାଧୋଇବା ଲାଗି ସ୍ବତନ୍ତ୍ର ଘାଟ ନିର୍ମାଣ ସହ ସ୍ଥାନ ନିରୂପଣ ପାଇଁ ନିର୍ଦ୍ଦେଶ ରହିଛି। ସ୍ଥାନୀୟ ପ୍ରଶାସନ ଜରିଆରେ ସଚେତନତା ସୃଷ୍ଟି ଓ ନଦୀକୂଳ ଅଞ୍ଚଳବାସୀଙ୍କୁ ପହଁରା ଶିଖାଇବା ତାଲିମ ଦେବାକୁ ପରାମର୍ଶ ଦିଆଯାଇଛି। ମାତ୍ର ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉନାହିଁ। ଫଳରେ ଯୁବପିଢ଼ି ଅକାଳ ମୃତ୍ୟୁର ଶିକାର ହେଉଛନ୍ତି। ରାଜ୍ୟ ସରକାର ପାଣି ବୁଡ଼ି ମୃତ୍ୟୁକୁ ସ୍ବତନ୍ତ୍ର ବିପର୍ଯ୍ୟୟ ଭାବେ ଉଲ୍ଲେଖ କରି ମୃତକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି।
ପ୍ରତିବର୍ଷ ଏହି ମୃତ୍ୟୁସଂଖ୍ୟା ବଢି ଚାଲିଥିବାବେଳେ ସରକାର ଏହାର ପ୍ରତିକାର ଲାଗି ପଦକ୍ଷେପ ନେବାରେ ସମର୍ଥ ହୋଇପାରିନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଘଟୁଥିବା ମୃତ୍ୟୁସଂଖ୍ୟାର ଏକ ତୃତୀୟାଂଶ କେବଳ ନଦୀ, ନାଳ, ପୋଖରୀ ଓ ସମୁଦ୍ରରେ ବୁଡ଼ି ଜୀବନ ଯାଉଛି। ପ୍ରତିବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ ପାଣିରେ ବୁଡ଼ିଜନିତ ମୃତ୍ୟୁ ୭୨ ପ୍ରତିଶତ ହେଉଛି। ତଥ୍ୟ ମୁତାବକ, ମୃତକଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ପୁରୀ ବିଚ୍ ଲାଇଫଗାର୍ଡ ମହାସଂଘ ସମ୍ପାଦକ ପୋକାଲ ହ୍ୟାରି କହିଛନ୍ତି, ବିସ୍ତୀର୍ଣ୍ଣ ବେଳାଭୂମିରେ ଯଥେଷ୍ଟ ଲାଇଫ୍ ଗାର୍ଡ ନାହାନ୍ତି। ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଆଧୁନିକ ସରଞ୍ଜାମ ନାହିଁ। ବିପଦଜନକ ସ୍ଥାନରେ ସାଇନ୍ବୋର୍ଡ ଲଗାଯାଉନାହିଁ। ତେଣୁ ପାଣିବୁଡ଼ି ମୃତ୍ୟୁକୁ ରୋକିବା ଲାଗି ସରକାର ତତ୍ପରତା ସହ ଆବଶ୍ୟକ ପଦକ୍ଷେପ ନେବା ଯେତିକି ଜରୁରି, ଲୋକେ ଗାଧୋଇବା ବେଳେ ସଚେତନ ହେବା ତା’ଠୁ ବେଶି ଜରୁରୀ ବୋଲି ସେ କହିଛନ୍ତି।