ପୁରୀ: ଆମର ଜୀବନର ସମଗ୍ର ପରିଚୟ ହେଉଛି, ଆମେ ସମସ୍ତଙ୍କ ହିତରେ ନିଜ ଜୀବନକୁ ଉପଯୋଗ ଓ ବିନିଯୋଗ କରିବା। ଗୀତାରେ ବି ଏ କଥା ଉଲ୍ଲେଖ କରାଯାଇଛି। ଆମେ ଅନ୍ୟଠାରୁ ଯେଉଁଭଳି ବ୍ୟବହାର ଆଶା କରୁଛେ, ଅନ୍ୟକୁ ବି ସେଭଳି ବ୍ୟବହାର ଦେଖାଇବା ଜରୁରୀ। ଯଦି ଆମେ ଏହି ଭାବନାକୁ କ୍ରିୟାନ୍ବିତ କରିବା, ଆମର ଜୀବନ ସମସ୍ତଙ୍କ ହିତ ପାଇଁ ପ୍ରୟୋଜନ ଓ ନିୟୋଜନ ହୋଇପାରିବ। ସମସ୍ତଙ୍କ ଜୀବନରେ ଏହି ବିଚାରାଧାରା ଆସିବା ଜରୁରୀ। କେବଳ ପେଟ ଓ ପରିବାର ଭିତରେ ଜୀବନର ବିଚାରାଧାରା ସୀମିତ ନ ରହୁ ବୋଲି ଗୋବର୍ଦ୍ଧନ ପୀଠ ପୀଠାଧୀଶ ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା କହିଛନ୍ତି। ଆଜି ପୁରୀ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧି ତଟରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଆରମ୍ଭ ହୋଇଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆଳତିର ୧୯ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ସାଧୁସନ୍ଥ, ରାଜନେତା, ଭକ୍ତ ଯୋଗ ଦେଇଥିଲେ। ବେଦମନ୍ତ୍ର ସହ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସାଧୁସନ୍ଥଙ୍କ ଗହଣର ମହୋଦଧିଙ୍କୁ ଆଳତି ଅର୍ଘ୍ୟ ଅର୍ପଣ କରିଥିଲେ।

ତୀର୍ଥରାଜ ମହୋଦଧି ଆଳତିର ୧୯ତମ ବାର୍ଷିକ ଉତ୍ସବ

Advertisment

ଏହି ଅବସରରେ ଶଙ୍କରାଚାର୍ଯ୍ୟ କହିଥିଲେ, ଆମେ କେବଳ ଖାଇବା ପାଇଁ ନ ବଞ୍ଚି, ୨୪ ଘଣ୍ଟାରେ ଅତିକମ୍‌ରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ପାଞ୍ଚ ଥର ମହାପ୍ରଭୁଙ୍କ ଭଜନ, କୀର୍ତ୍ତନ କରିବା ଜରୁରୀ। ଆମଠାରେ ସଚ୍ଚିଦାନନ୍ଦ ସ୍ବରୂପ ସର୍ବେଶ୍ବରଙ୍କ ବଳ ଥିଲେ, ଆମ ଜୀବନରେ ଅଦ୍ଭୂତ ଶକ୍ତି ଓ ପ୍ରାଣଶକ୍ତିର ଉଦ୍ରେକ ହେବ। ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତ ବିଶ୍ବର ହୃଦୟ। ରାଜନୀତିର ପରିଭାଷା ବେଦ ଆଦି ଶାସ୍ତ୍ର ଅନୁସାରେ ନିର୍ଦ୍ଧାରିତ ଓ କ୍ରିୟାନ୍ବିତ ହେବା ଜରୁରୀ। ତା’ହେଲେ ଭାରତର ଉପଯୋଗ ଓ ବିନିଯୋଗ ବିଶ୍ବର ହିତରେ ଲାଗି ପାରିବ। ସୁସଂସ୍କୃତି, ସୁଶିକ୍ଷିତ, ସୁରକ୍ଷିତ ସଂପନ୍ନ ସେବା ପରାୟଣ ମନୋଭାବ ସହ ସୁସ୍ଥ ଓ ବ୍ୟକ୍ତିଙ୍କ ସଂରଚନା ବେଦାଦି ଶାସ୍ତ୍ର ଦ୍ବାରା ଗଠନ ହୋଇପାରିବ। ମାତୃଶକ୍ତି ସୁରକ୍ଷିତ ରହିପାରିବ। ବେଦାଦି ଶାସ୍ତ୍ରକୁ ନ ମାନିଲେ ଜୀବନ ଦୁର୍ବିସହ ହୋଇପଡ଼ିବ। ରକେଟ୍‌, କମ୍ପ୍ୟୁଟର, ମୋବାଇଲ୍‌ ଯୁଗରେ ବି ସନାତନ ସିଦ୍ଧାନ୍ତକୁ ଅନୁସରଣ କରି କିଛି ବ୍ୟକ୍ତିବିଶେଷ ନିଜ ନିଜ ମାର୍ଗ ପ୍ରଶସ୍ତ କରିଛନ୍ତି, ଯାହା ବେଦାଦି ଶାସ୍ତ୍ର ଆଧାରିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ବାଲାଂଦେଶ ଉପରେ ଟିପ୍ପଣୀ ରଖି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଏହା ଜାଣିବା ଦରକାର, ସମସ୍ତଙ୍କ ପୂର୍ବଜ ସନାତନୀ ହିନ୍ଦୁ ବୋଲି ସିଦ୍ଧ ହୋଇ ଆସିଛି। ମହମ୍ମଦ, ଇସା ମସିଙ୍କ ପୂର୍ବଜ କେଉଁମାନେ ଥିଲେ, ତାର ବିଚାର କରିବା ପରେ ଏହା ସିଦ୍ଧ ହୋଇଛି କି ସମସ୍ତଙ୍କ ପୂର୍ବଜ ହେଉଛନ୍ତି ସନାତନୀ ହିନ୍ଦୁ। ମରିଚି, କଶ୍ୟପ ଆଦିଙ୍କ ମହର୍ଷିଙ୍କ ଧର୍ମପତ୍ନୀଙ୍କଠାରୁ କେବଳ ଜନଜାତି ନୁହଁନ୍ତି, ଅନେକ ପ୍ରାଣୀ, ତରୁଲତା ଆଦି ସୃଷ୍ଟି ହୋଇଛନ୍ତି। ଏଣୁ ନିଜ ଜୀବନକୁ ପରୋପକାର ଉଦ୍ଦେଶ୍ୟରେ ଲଗାଇ ସାର୍ଥକ କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ସ୍ବାମୀ ନିର୍ବିକଳ୍ପାନନ୍ଦ, ସ୍ବାମୀ ଅସୀମାନନ୍ଦ, ସାଂସଦ ସମ୍ବିତ ପାତ୍ର, ଇଂ.ପ୍ରଶାନ୍ତ ଆଚାର୍ଯ୍ୟଙ୍କ ସମେତ ବହୁ ଜ୍ଞାନୀଗୁଣି, ସାଧୁସନ୍ଥ ଯୋଗ ଦେଇଥିଲେ।