ଢେଙ୍କାନାଳ: ନଦୀ ଏପଟେ ଜୀବନ, ସେପଟେ ଜୀବିକା। ପୋଲ ପାଇଁ ଦାବି କରି ଲୋକେ ଥକିଗଲେଣି। ତେଣୁ ଡଙ୍ଗାରେ ନଦୀ ପାର ହେବା ଏକମାତ୍ର ବାଟ। ଅନେକ ଲୋକଙ୍କ ପାଇଁ ଜୀବନରେଖା ସାଜିଛି ନଦୀ। ହେଲେ ବେଳେବେଳେ ସେହି ଜୀବନରେଖା ଜୀବନ ନେଉଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୫ ବର୍ଷରେ ୨୬୧ ଜଣ ପାଣିରେ ବୁଡ଼ି ମରିଛନ୍ତି। ସେହିପରି ଗତ ୩ବର୍ଷରେ କେବଳ ନଦୀରେ ବୁଡ଼ି ୧୨ଜଣଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ଦେଇ ବହିଯାଇଛି ବ୍ରାହ୍ମଣୀ। ରାମିଆଳ ଭଳି ଛୋଟ ନଦୀ ବି ରହିଛି ଜିଲ୍ଲାର ଉପାନ୍ତରେ।
ଢେଙ୍କାନାଳ ସଦରର ଅଳ୍ପ କିଛି ଅଞ୍ଚଳ ସହ ଗଁଦିଆ, ଭୁବନ, ଓଡ଼ାପଡ଼ା, ପର୍ଜଙ୍ଗ ଓ କାମାକ୍ଷାନଗର ବ୍ଲକ୍ର କିଛି ଅଞ୍ଚଳରେ ବ୍ରାହ୍ମଣୀ ପ୍ରବାହିତ। ଢେଙ୍କାନାଳବାସୀଙ୍କ ଲାଗି ବ୍ରାହ୍ମଣୀ ଜୀବନରେଖା। କିନ୍ତୁ ଏହି ଜୀବନରେଖାରେ ଗତ ୩ ବର୍ଷରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୨ରେ ୨ଜଣ ଓ ୨୦୨୩ରେ ୬ଜଣଙ୍କ ଜୀବନ ଯାଇଛି। ଚଳିତବର୍ଷ ୪ ଜଣ ନଦୀରେ ବୁଡ଼ି ମରିଛନ୍ତି। ସେମାନଙ୍କ ମଧ୍ୟରେ ପର୍ଜଙ୍ଗ ଆଇଜିଆଇଟିର ଜଣେ ଇଂଜିନିୟରିଂ ଛାତ୍ର ବି ଅଛନ୍ତି। ମାର୍ଚ୍ଚ ୧୫ ତାରିଖରେ ବି.ଟେକ୍. ଶେଷବର୍ଷ ଛାତ୍ର ସନତ ମହାଳିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ମାସ ୧୦ ତାରିଖରେ ଭୁବନ ବାଜି ରାଉତ ସେତୁ ଉପରୁ ବାପା ସାମ୍ନାରେ ପୁଅ ନଦୀକୁ ଡେଇଁ ପଡ଼ିଥିଲା। ୨୦୧୬ ମାର୍ଚ୍ଚ ୮ ତାରିଖରେ ଭୁବନ ବ୍ଲକ୍ ସୁରପ୍ରତାପପୁର ଗ୍ରାମର କିଛି ଲୋକ ନଦୀ ଆରପଟେ ଥିବା ଶିବମନ୍ଦିରକୁ ଜାଗରଯାତ୍ରା ଦେଖିବାକୁ ଯାଉଥିଲେ। କିନ୍ତୁ ଡଙ୍ଗାରେ ଅଧିକ ଲୋକ ଚଢ଼ିଥିବାରୁ ଭାରସାମ୍ୟ ହରାଇ ତାହା ମଝି ନଈରେ ଓଲଟି ପଡ଼ିଥିଲା। ବହୁ ଲୋକ ପହଁରି ସିନା ଆସିଗଲେ କିନ୍ତୁ ୪ଜଣ କୁନି ପିଲାଙ୍କ ସହ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ସେମିତି ୨୦୧୯ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ଓଡ଼ାପଡ଼ା ବ୍ଲକ୍ ଖଡ଼୍ଗପ୍ରସାଦ ଗ୍ରାମ ନିକଟରେ ଡଙ୍ଗା ବୁଡ଼ି ହୋଇଥିଲା। ୯ଜଣ ଡଙ୍ଗାରେ ନଦୀ ପାର ହେଉଥିଲାବେଳେ ଡଙ୍ଗା ବୁଡ଼ି ଯାଇଥିଲା। ୨ ଦିନ ପରେ ଜଣଙ୍କର ଓ ୩ଦିନ ପରେ ଆଉ ୨ଜଣଙ୍କ ମୃତଦେହ ମିଳିଥିଲା। ଏବେ ବି ଜିଲ୍ଲାର ୧୮ଟି ଫେରିଘାଟରୁ ପ୍ରାୟ ୩୦ଟି ଡଙ୍ଗା ଦୈନିକ ଯାତ୍ରୀ ପରିବହନ କରୁଛି। ଏସବୁକୁ ଦେଖିବାକୁ କେହି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/16/IWnAEXjQWh06ryURuWkW.jpg)