ନିରାକାରପୁର : ସାମୁଦ୍ରିକ ବାତ୍ୟା ‘ଫନି’କୁ ଦେଢ଼ ବର୍ଷ ବିତିଛି। ବାତ୍ୟାରେ ବାସଗୃହ ହରାଇଥିବା ବିପନ୍ନମାନେ ଏବେ ବି ପଲିଥିନ୍ ଘେରା ନୂଆଣିଆ କୁଡ଼ିଆରେ ଏବେ ଆଶ୍ରୟ ନେଉଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍ ବାଲିପାଟପୁର ପଞ୍ଚାୟତ ସରସ୍ବତୀନଗର ଗ୍ରାମର କ୍ଷତିଗ୍ରସ୍ତ ୮ରୁ ଊର୍ଦ୍ଧ୍ବ ପରିବାରଙ୍କ କ୍ଷେତ୍ରରେ।
ସୂଚନା ଯୋଗ୍ୟ ଯେ ଗତ ଫନି ବାତ୍ୟାରେ ଗ୍ରାମର ଲକ୍ଷ୍ମୀଧର ବେହେରା, ପୀତବାସ ବେହେରା, ସୁବାସ ବେହେରା, ଦ୍ରୋପଦୀ ବେହେରା ପ୍ରମୁଖ ୮ରୁ ଅଧିକ ଗ୍ରାମବାସୀଙ୍କର ବାସଗୃହ ଭାଙ୍ଗିରୁଜି ଯାଇଥିଲା। ସେହି ସମୟରେ ପ୍ରଶାସନ ପକ୍ଷରୁ ଚାଳଖଣ୍ତିକ ଘୋଡାଇବା ନିମନ୍ତେ ପଲିଥିନ୍ ଖଣ୍ଡେ ସମେତ ୫୦୦ଟଙ୍କା ଦିଆଯାଇଥିଲା। ଇତିମଧ୍ୟରେ ମିଳିଥିବା ପଲିଥିନ୍ ଖଣ୍ତିକ ଖରାବର୍ଷା ଖାଇ ନଷ୍ଟ ହେବାପରେ ନିଜସ୍ବ ଖର୍ଚ୍ଚରେ ପଲିଥିନ୍ ଖଣ୍ଡିଏ ଲେଖାଏଁ କିଣିସେମାନେ ମୁଣ୍ତଗୁଞ୍ଜିଥିବା କଥା କୁହନ୍ତି ଡଲି ବେହେରା ଓ ଚନ୍ଦ୍ରକଳା ବେହେରା ପ୍ରମୁଖ ଗ୍ରାମର ମହିଳା। ଚିଲିକାକୁ ନଗଲେ ଚୁଲି ଜଳୁନଥିବାବେଳେ ଫନିପରେ କରୋନା ଓ ଏବେ ବନ୍ୟାଯୋଗୁଁ ପରିସ୍ଥିତି ସେମାନଙ୍କ ପାଇଁ ଭଗାରୀ ସାଜିଛି ବୋଲି ବିପନ୍ନମାନେ କହିଛନ୍ତି।। ଏଭଳି ପରିସ୍ଥିତିରେ ନିରାଶ୍ରୟ ପରିବାରକୁ ସରକାରୀ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବାକୁ ଦାବି ହେଉଛି।