ଯାଜପୁରସଦର: ଯାଜପୁର ସଦର ଥାନା ବୁଢ଼ାନଦୀର କଳିଦ୍ରାବାଦ ବାଲିଘାଟ ନିକଟରେ ପାଣିରେ ବୁଡ଼ିଯାଇ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ବଡ଼ତ୍ରିଲୋଚନପୁର ଗ୍ରାମର ବନମାଳୀ ଜେନା (୪୫)। ସେ ଗତକାଲି କାମ ସାରି ଅପରାହ୍‌ଣରେ ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ।

Advertisment

ଆଜି ସକାଳୁ ପରିବାର ଲୋକ କଳିଦ୍ରାବାଦ ଘାଟରେ ତାଙ୍କର ଜୋତା ଓ ଲୁଗା ଦେଖିବାକୁ ପାଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇନଥିଲେ। ଯାଜପୁର ସଦର ଥାନାଧିକାରୀ ମାନସ ରଂଜନ ଚକ୍ର ମଧ୍ୟ ଘଟଣାସ୍ଥ‌ଳରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ‌ରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ନଦୀଶଯ୍ୟାରେ ବାଲି ଉତ୍ତୋଳନ ବେଳେ କେତେକ ସ୍ଥାନରେ ଗଭୀରତା ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ବହୁ ଖୋଜାଖୋଜି ପରେ ଯାଜପୁର ଅଗ୍ନିଶମ ବାହିନୀ ଆଜି ସନ୍ଧ୍ୟାରେ ମୃତଦେହ ଉଦ୍ଧାର କରିଛନ୍ତି।