ସାତସପନ ସରକାରୀ ଯୋଜନା: ଛିଣ୍ଡା ପଲିଥିନ ତଳେ ରିକ୍ସାବାଲାଙ୍କ ଜୀବନ

ରାଉରକେଲା: ରିକ୍ସା ଗଡିଲେ ପରିବାର ପେଟକୁ ଦାନା ମିଳୁଥିଲା। ସୁଖ ଦୁଃଖରେ ଚଳୁଥିଲା ସଂସାର। ସେତେବେଳେ ବି ସ୍ଥାନୀୟ ପ୍ରଶାସନ ତାଙ୍କ ଦୁଃଖ ବୁଝିଲେନି। ଏବେ ବୃଦ୍ଧ ବୟସରେ ପ୍ରଶାସନ ସମ୍ପୂର୍ଣ୍ଣ ପାସୋରି ଗଲେ। ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ସ୍ମାର୍ଟସିଟି ଅନ୍ତର୍ଗତ ବନ୍ଧମୁଣ୍ଡା ଶୀତଳନଗରରେ। ରିକ୍ସା ଟାଣୁଥିବା ବିଷ୍ଣୁଦେବ ମାହାତୋଙ୍କ ପାଖରେ ପହଞ୍ଚିପାରିନି ସରକାରୀ ଯୋଜନା। ଘର ଖଣ୍ଡିଏ ନିଥିବାରୁ ଛିଣ୍ଡା ପଲିଥିନ ତଳେ ବିତୁଛି ତାଙ୍କ ପରିବାର ଜୀବନ। ଯେଉଁଠି ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖୁଛନ୍ତି। ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ଲହଡି ମାରୁଛି। ମାସ ମାସ ଧରି ଏଭଳି ଦୟନୀୟ ଜୀବନ ଅତିବାହିତ କରୁଥିବା ବିଷ୍ଣୁଦେବଙ୍କ ଦୁଃଖ ଶୁଣିବାକୁ ସେମିତି କୌଣସି ସରକାରୀ ଅଧିକାରୀଙ୍କ ପାଖରେ ସମୟ ନାହିଁ।

ସେପଟେ ବିଷ୍ଣୁୀଦେବଙ୍କ ଝିଅ ରୁକ୍ମଣୀ ସହାୟତା ପାଇଁ ଥରେ କି ଦୁଇ ଥର ନୁହେଁ ବାରମ୍ବାର ସରକାରୀ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି। ମୁଣ୍ଡ ଗେଞ୍ଜିବାକୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସରକାରୀ ଅଧିକାରୀଙ୍କୁ ଅନେକବାର ନେହୁରା ମଧ୍ୟ ହୋଇଛନ୍ତି। କିନ୍ତୁ ଆଜିକାଲି ବିଭାଗୀୟ ଅଧିକାରୀମାନେ ମାସ ମାସ ସମୟ ଗଡାଇଚାଲିଛନ୍ତି। ସବୁଠୁ ନିରାଶ ହେବା ପରେ ବିଷ୍ଣୁଦେବ, ଝିଅ ଓ ନାତି ସହ ଦୟନୀୟ ଜୀବନ ଜୀଉଁଛନ୍ତି। ବିଷ୍ଣୁଦେବଙ୍କ ପରିବାର କହିଲେ ୩୦ ବର୍ଷୀୟ ଝିଅ ରୁକ୍ମଣୀ ମାହାତୋ ଓ ଚାରି ବର୍ଷର ନାତି। ଏବେ ବିଷ୍ଣୁଦେବ ରୋଗାଗ୍ରସ୍ତ। ଅଣ୍ଟା ସଳଖି ଛିଡା ହୋଇପାରୁ ନଥିବାରୁ ସେମିତି ଖଟରେ ପଡି ରହିଛନ୍ତି। ଝିଅ ରୁକ୍ମଣୀ ପାଠ ପଢ଼ିଥିଲେ ହେଁ କାମ ମିଳୁ ନଥିବାରୁ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। ସମ୍ବଳ କହିଲେ କେବଳ ରାସନ କାର୍ଡ ଖଣ୍ଡିଏ।। କାର୍ଡ ଯେତିକି ଚାଉଳ ମିଳୁଛି, ସେଥିରେ ପରିବାର ଚଳୁଛି। ଘର ଖଣ୍ଡିଏ ପାଇଁ ଲୋକପ୍ରତିନିଧିଙ୍କ ଠାରୁ ପ୍ରଶାସନିକ ଅଧିକାରୀଙ୍କୁ ଅନେକବାର ଗୁହାରି କରିଛନ୍ତି। ଫଳ କିନ୍ତୁ ଶୂନ୍‌। ଏଭଳି ଦୁଃଖଦ ସମୟରେ ପ୍ରଶାସନ ତାଙ୍କ ଦୁଃଖଶୁଣୁ ବୋଲି ବିଷ୍ଣୁଦେବ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର