ଯାତ୍ରୀ ବିଶ୍ରାମାଗାରରେ ବିତୁଛି ଅସହାୟ ବୃଦ୍ଧଙ୍କ ଜୀବନ

ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍‌ ବଘିଆପଡ଼ା ପଞ୍ଚାୟତ ଏରେଡ଼ା ଗ୍ରାମଠାରେ ଥିବା ଯାତ୍ରୀ ବିଶ୍ରାମାଗାରଠାରେ ଜଣେ ଅସହାୟ ବୃଦ୍ଧ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଏରେଡା ଗ୍ରାମର ଲକ୍ଷ୍ମଣ ସେଠୀ (୮୦) ବୌଦ୍ଧ ରାଜନପାଲି ଗ୍ରାମରେ ଏକ ଇସ୍ତ୍ରୀ ଦୋକାନ ଦେଇ ଦୁଇ ପଇସା ରୋଜଗାର କରି ଚଳୁଥିଲେ। ଲକ୍‌ଡାଉନ ଓ ସଟ୍‌ଡାଉନ ଯୋଗୁଁ ତାଙ୍କ ରୋଜଗାର ବନ୍ଦ ହୋଇଗଲା। ସେ ସେଠାରୁ ପଳାଇ ଆସି ଏରେଡା ଗ୍ରାମରେ ଥିବା ଏକ ଯାତ୍ରୀବିଶ୍ରାମାଗାର ଠାରେ ରହି ଦିନ କାଟୁଛନ୍ତି।

ରହିବା ପାଇଁ ତାଙ୍କର ଘର ଖଣ୍ଡିଏ ନାହିଁ। ୯ ବର୍ଷ ତଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏକମାତ୍ର ଝିଅକୁ ବାହା ଦେଇ ସାରିଲେଣି। ବର୍ତମାନ ତାଙ୍କର ନିଜର ବୋଲି କେହି ନାହିଁ। ତାଙ୍କର ୪ ଏକର ଜମିବାଡ଼ି ଥିଲେ ବି ଅନ୍ୟମାନେ କବ୍‌ଜା କରି ନେଇଛନ୍ତି। ପଞ୍ଚାୟତ ପକ୍ଷରୁ ମିଳୁଥିବା ୫ କେଜି ଚାଉଳ ଓ ୫ଶହ ଭତ୍ତା ଟଙ୍କାରେ ଚଳୁଛନ୍ତି। ଆଖିକୁ ଆଉ ଠିକ୍‌ରେ ଦେଖା ଯାଉ ନଥିବା ବେଳେ କାନକୁ ବି ଶୁଣା ଯାଉନାହିଁ। ଦେହ ଦୁର୍ବଳ ହେଲାଣି। ଘର ଖଣ୍ଡିଏ ନଥିବାରୁ ସେ ପ୍ରାୟ ଏକ ବର୍ଷ ହେବ ଏହି ଯାତ୍ରୀ ବିଶ୍ରାମାଗାରରେ ଆଶ୍ରୟ ନେଇଛନ୍ତି। ତାଙ୍କୁ ଥଇଥାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର