ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଆଜି ପୁଣି କୁମ୍ଭୀର ମୁହଁରେ ଜଣଙ୍କର ଜୀବନ ଯାଇଛି। ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ନାଳରୁ ପାଣି ଆଣି ଫସଲରେ ଦେଉଥିଲା ବେଳେ ବଡ଼ ଭାଇ ଆଗରୁ ସାନ ଭାଇକୁ ଟାଣି ନେଇଛି କୁମ୍ଭୀର। ରାଜନଗର ବ୍ଲକ୍ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡ଼ା ଗାଁରେ ଏଭଳି ଅଘଟଣ ଘଟିଛି। ନାଳରୁ ପାଣି ଆଣିବା ପାଇଁ ଗରା ବୁଡ଼ାଇବା ବେଳେ ସେଠାରେ ପୂର୍ବରୁ ଜଗି ରହିଥିବା ମଣିଷ ଖିଆ କୁମ୍ଭୀର ହଠାତ ଝାମ୍ପ ମାରି ସାନ ଭାଇକୁ ଟାଣି ନେଇଥିଲା। କୁମ୍ଭୀର ନେଇଗଲା ବୋଲି ସାନ ଭାଇର ଚିତ୍କାର ଶୁଣି ବଡ଼ ଭାଇ ନାଳ ନିକଟକୁ ଯିବା ଭିତରେ କୁମ୍ଭୀର ତାଙ୍କୁ ନାଳ ମଝିକୁ ଟାଣି ନେଇ ସାରିଥିଲା। କୁମ୍ଭୀରକୁ ଟେକା ଫୋପାଡ଼ିବା ସହ ଡିଙ୍ଗି ଦ୍ୱାରା ଗୋଡ଼ାଇବା ବେଳକୁ କୁମ୍ଭୀରଟି ନାଳ ଭିତରକୁ ଚାଲି ଯାଇଥିଲା।
ସୂଚନା ଅନୁଯାୟୀ ରାଜନଗର ବ୍ଲକ୍ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡ଼ା ଗାଁର ନିମାଇଁ ମଲିକ (୪୦) ଓ ତାଙ୍କ ବଡ଼ ଭାଇ ନିର୍ମଳ ଘର ଠାରୁ ୨୦୦ ମିଟର ଦୂରରେ ଖରା ଦିନିଆ ପରିବା ଚାଷ କରିଥିଲେ। ବ୍ରାହ୍ମଣୀ ନଦୀ ଓ ନଦୀରୁ ବାହାରିଥିବା ନାଳ ମଝିରେ ଥିବା ଜମିରେ ଦୁଇ ଭାଇ ପରିବା ଚାଷ କରିଛନ୍ତି। ଆଜି ଗୋଟିଏ ପଟରେ ବଡ଼ ଭାଇ ନିର୍ମଳ ପାଣି ଦେଉଥିବା ବେଳେ ଅନ୍ୟପଟରେ ସାନ ଭାଇ ନିମାଇଁ ଫସଲରେ ପାଣି ଦେଉଥିଲେ। ନିମାଇଁ ପାଣି ଆଣିବା ପାଇଁ ନାଳ ଭିତରେ ଗରା ବୁଡ଼ାଇବା କ୍ଷଣି ଛକି ରହିଥିବା ମଣିଷ ଖିଆ କୁମ୍ଭୀର ହଠାତ ନିମାଇଁଙ୍କ ଉପରକୁ ଝାମ୍ପ ମାରିଥିଲା। ଭାଇ କୁମ୍ଭୀର ନେଇଗଲା ବୋଲି ନିମାଇଁ ଡାକ ଛାଡ଼ିଥିଲେ। ପାଣି ଦେଉଥିବା ବଡ଼ ଭାଇ ନିର୍ମଳ ଓ ସମ୍ପର୍କୀୟ ଭାଉଜ ପୁଷ୍ପ ମଳିକ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀର ନିମାଇଁଙ୍କୁ ନାଳ ମଝିକୁ ନେଇ ସାରିଥିଲା। କୁମ୍ଭୀର ଉପରକୁ ଟେକା ଫୋପାଡ଼ିବା ସହ ସେଠାରେ ଥିବା ଡିଙ୍ଗି ଯୋଗେ କୁମ୍ଭୀର କବଳରୁ ନିମାଇଁଙ୍କୁ ଉଦ୍ଧାର ପାଇଁ ସେମାନେ ଚେଷ୍ଟା କରିଥିଲେ। କିନ୍ତୁ କୁମ୍ଭୀର ନିମାଇଁଙ୍କୁ ପାଣି ଭିତରେ କେଉଁଠି ଲୁଚାଇ ଦେଇ ନାଳରୁ ବାହାରି ନଦୀ ମଧ୍ୟକୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହିତ ବନ ବିଭାଗ ଟିମ୍ ପହଞ୍ଚି ବୋଟ୍ ମାଧ୍ୟମରେ ଖୋଜାଖୋଜି କରିବା ପରେ ଦିନ ପ୍ରାୟ ୨ଟା ବେଳେ ନିମାଇଁଙ୍କ ମୃତଦେହ ନାଳ ଭିତରୁ ମିଳିଥିଲା। ନିମାଇଁଙ୍କ ଦୁଇ ହାତରେ କୁମ୍ଭୀର କାମୁଡ଼ା କ୍ଷତ ଚିହ୍ନ ରହିଛି। ଖରାଦିନେ ନାଳ ମଧ୍ୟରୁ କୁମ୍ଭୀର ଟାଣି ନେବା ଘଟଣା ଭିତରକନିକା ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି।