ବିଜ୍ଞାନର ଲୋକପ୍ରିୟତା ବୃଦ୍ଧି ପାଇଁ କେନ୍ଦ୍ର ଅଧିକ ପ୍ରୋତ୍ସାହନ ଦେଉ: ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନର ବାର୍ଷିକ ସାଧାରଣ ଅଧିବେଶନ ନୂଆଦିଲ୍ଲୀର ଲୋଧି ଇଷ୍ଟେଟ୍‌ସ୍ଥିତ କେନ୍ଦ୍ର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ହର୍ଷବର୍ଦ୍ଧନ ଏଥି‌େର ସଭାପତିତ୍ବ କରିଥିଲେ। ଅଧିବେଶନରେ ଯୋଗ ଦେଇ ଓଡ଼ିଶାର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଓଡ଼ିଶାରେ ବିଜ୍ଞାନ ‌ଶିକ୍ଷକଙ୍କ ପାଇଁ ଉଚ୍ଚତ୍ତର ତାଲିମ ସହିତ ବିଜ୍ଞାନକୁ ଲୋକପ୍ରିୟ କରିବା ନିମନ୍ତେ କେନ୍ଦ୍ର ସରକାର ଅଧିକ ପ୍ରୋତ୍ସାହନମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ଅଧିକ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉ। ରାଜ୍ୟ ସରକାର ଜୀବ ବିଜ୍ଞାନ ପ୍ରତିଷ୍ଠାନର ଇନ୍‌କ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଦୁଇ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଉତ୍ତର-ପୂର୍ବାଞ୍ଚଳ ବୈଜ୍ଞାନିକ ତଥା ବୈଷୟିକ ବିଶେଷଜ୍ଞମାନଙ୍କ ତାଲିମ ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଦର୍ଶାଇ ଶ୍ରୀ ପଣ୍ଡା ରାଜ୍ୟରେ କାର୍ଯ୍ୟରତ ସ୍କୁଲ୍‌ ଓ କଲେଜର ବିଜ୍ଞାନ ଶିକ୍ଷକମାନଙ୍କୁ ଉଚ୍ଚତର ତଥା ଗୁଣାତ୍ମକ ତାଲିମ ଦେବା ନିମନ୍ତେ ଖୁବ୍ ଶୀଘ୍ର ତାଙ୍କ ବିଭାଗ ପଦକ୍ଷେପ ନେବ ବୋଲି କହିଥିଲେ।

ଜୀବ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ଦିଗରେ ପଦକ୍ଷେପ ‌ଗ୍ରହଣ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ମନ୍ତ୍ରୀ ଶ୍ରୀ ପଣ୍ଡା ଦାବି କରିଥିଲେ। କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟର ବାୟୋଟେକ୍ନୋଲୋଜି ବିଭାଗର ସଚିବ ତଥା ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ରେଣୁ ସ୍ବରୂପ ବୈଠକର ବିବରଣୀ ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଅଜୟ ପରିଡ଼ା ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର