ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନାରେ ରୁଜୁ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ବତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ଦାନିଆଲ୍ ନାଗକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଜରିମାନା ଅନାଦେୟ ହୁଏ ତେବେ ୬ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ବୋରିଗୁମ୍ମା ଥାନା ଅଞ୍ଚଳର ନାବାଳିକା ପୀଡ଼ିତାଙ୍କୁ ଦାନିଆଲ୍ ନାଗ ବାରମ୍ବାର ଦୁଷ୍କର୍ମ କରିଥିଲା। ଯାହାଫଳରେ ନାବାଳିକା ଗର୍ଭବତୀ ହୋଇଥିଲେ। ତେବେ କୌଣସି କାରଣରୁ ନାବାଳିକାଙ୍କ ଗର୍ଭପାତ ହୋଇଯିବାରୁ ପରବର୍ତ୍ତୀ ସମୟରେ ଦାନିଆଲ୍ ବିବାହ କରିବାକୁ ରାଜି ହୋଇନଥିଲା। ଏମିତି ସ୍ଥିତିରେ ନ୍ୟାୟ ପାଇଁ ଜୟପୁର ମହିଳା ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ। ତତ୍କାଳୀନ ମହିଳା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ଘଟଣାର ତଦନ୍ତ କରି ଦାନିଆଲ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଡ. ବି.ଗାୟତ୍ରୀ ଦେବୀ ମାମଲାକୁ ପରିଚାଳନା କରୁଥିଲେ।