ଅନୁଗୁଳ: ବହୁଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅନାମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହି ମାମଲାରେ ଆଗରୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏବେ ରାୟକୁ ବଦଳାଇଛନ୍ତି ସେହି ଅଦାଲତ। ଅଭିଯୁକ୍ତ ଅନାମ କାଙ୍ଗୁଲାରେ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ସ୍ବୀକାର କରିଥିଲାବେଳେ ଅଦାଲତ ତାଙ୍କୁ ଯାବତ୍ଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅପରପକ୍ଷରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ପରିବାର।
ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁ ମଶାଣି ଭୂଇଁ ନିକଟରେ ୨୦୧୯ ଜାନୁଆରି ୨୦ ଅପରାହ୍ଣରେ ଅନାମ ସେହି ଗାଁର ଜଣେ ୧୨ ବର୍ଷୀୟ ବାଳିକାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା। ସେତେବେଳେ ନାବାଳିକାର ମୃତଦେହ ସହ ମଧ୍ୟ ଅନାମ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଇ ତଦନ୍ତକୁ ଜୋରଦାର କରିଥିଲା ଅନୁଗୁଳ ପୁଲିସ। ପରେ ପୁଲିସ ଅନାମକୁ କୋଲକାତାରୁ ଗିରଫ କରିଥିଲା । ଏହି ମାମଲାର ବିଚାରଣା ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତରେ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶ ରାୟ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହା ସହିତ ଏହି ମାମଲାର ପୁନଃ ଶୁଣାଣି କରି ସାନି ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ ବିଚାରପତି ପ୍ରଭାକର ଗାଣ୍ଠିଆଙ୍କ ଅଦାଲତରେ ଏହି ମାମଲାର ପୁନଃ ଶୁଣାଣି ହୋଇଥିଲାବେଳେ ଆଜି ଏହାର ଦଣ୍ଡାଦେଶ ଘୋଷଣା କରାଯାଇଛି।
ଏହି ମାମଲାରେ ଅନାମକୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି । ଏହା ସହ ୩୭୬(୩) ଦଫା ଅନୁସାରେ ଯାବତ୍ଜୀବନ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜରିମାନା ଏବଂ ୨୦୧ ଦଫାରେ ୭ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ ପୀଡିତାଙ୍କ ପରିବାରକୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଥିବା ସରକାରୀ ଓକିଲ ସରୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହେବ ବୋଲି ଆମେ ଆଶା ରଖିଥିଲୁ। ଏହାର ତର୍ଜମା କରାଯିବ। ଆବଶ୍ୟକ ପଡ଼ିଲେ ଉପର କୋର୍ଟରେ ଅପିଲ୍ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଅପରପକ୍ଷରେ ଅଦାଲତଙ୍କ ଏହି ରାୟ ପରେ ଭାଙ୍ଗିପଡ଼ିଛନ୍ତି ପୀଡିତାଙ୍କ ପରିବାର। ପୀଡିତାଙ୍କ ପରିବାର କହିଛନ୍ତି ଯେ ତାଙ୍କ ଝିଅକୁ ଯେମିତି ଅମାନୁଷିକ ଭାବେ ଦୁଷ୍କର୍ମ କରି ହତ୍ୟା କରାଗଲା ଦୋଷୀକୁ ଫାଶୀଦଣ୍ଡ ବି କମ୍ ପଡ଼ିଯିବ। କିନ୍ତୁ ଅଦାଲତ ତା’ ପ୍ରତି କୋହଳ ମନୋଭାବ ପୋଷଣ କରିବା ଦ୍ବାରା ସମାଜରେ ଅପରାଧ ବଢିବ। ସେମାନେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ପୀଡ଼ିତାଙ୍କ ସଂପର୍କୀୟ ଶିଶିର ମହାରଣା।