ମହିଳାଙ୍କୁ ହତ୍ୟା ମାମଲା: ହତ୍ୟାକାରୀ ସନ୍ତୋଷ ପଲେଇକୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା: ସବିତା ଜେନା ହତ୍ୟା ମାମଲାରେ ଦୀର୍ଘ ୮ ବର୍ଷ ପରେ ନ୍ୟାୟ ମିଳିଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମାମଲାର ବିଚାର କରି ଅଭିଯୁକ୍ତ ସନ୍ତୋଷ ପଲେଇକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନାନୁସାରେ, ୨୦୧୪ ସେପ୍ଟମ୍ବର ୧୪ ତାରିଖରେ ନିରାକାରପୁର ଥାନା ଅଧୀନ ବୋଳଂଘରା ଗାଁର ଭଗବାନ ଜେନାଙ୍କ ପତ୍ନୀ ସବିତା ଜେନା କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ । ସେହି ମାସ ୨୭ ତାରିଖରେ ପୁଲିସ କାଶୀପୁର ଠାରୁ ବଡ଼ପୋଖରିଆ ରାସ୍ତାର ବାସୁଦେଇପୁର ପୋଖରୀ ନିକଟ କାଜୁ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରୁ ଏକ ମହିଳାଙ୍କ ଉଲଗ୍ନ ଓ ଗଳିତ ମୃତଦେହ ଜବତ କରିଥିଲା । ମୃତଦେହର ସ୍ଥିତିକୁ ଦେଖି ପୁଲିସ ପ୍ରାଥମିକ ଅନୁସନ୍ଧାନରେ ଧର୍ଷଣ ପରେ ହତ୍ୟା କରିଥିବା ସନେ୍ଦହ କରିଥିଲା । ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାରୁ ପୁଲିସ ପ୍ରଥମେ ୬/୨୦୧୪ରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା । କିନ୍ତୁ ୨୧ ତାରିଖରେ ସବିତାଙ୍କ ପତି ଭଗବାନ ଜେନା ମୃତଦେହକୁ ଚିହ୍ନଟ କରିଥିଲେ । ଏହାପରେ ଭଗବାନଙ୍କ ଲିଖିତ ଅଭିଯୋଗ ଅନୁସାରେ ପୁଲିସ ୧୪୧/୨୦୧୪ରେ ଦଫା ୩୬୩, ୩୭୬ ଓ ୩୦୨ରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଅନୁସନ୍ଧାନରେ ବୋଳଂଘରା ଗାଁର ସନ୍ତୋଷ ପଲେଇ ନାମକ ଜଣେ ଯୁବକ ବ୍ୟାଙ୍କ ଋଣ କରାଇଦେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଡାକିଥିଲା, ଏହାପରେ ସବିତାଙ୍କୁ ଧର୍ଷଣ ପରେ ହତ୍ୟା କରିଥିବା ଜଣାପଡ଼ିଥିଲା ।

ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମର ବିଳାସ ବେହେରା ସନ୍ତୋଷ ପଲେଇକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ସନ୍ତୋଷକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି ସରକାରୀ ଓକିଲ ରଜନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର