ମୁନିଗୁଡ଼ା/ରାୟଗଡ଼ା: ଦୂଷିତ ପାଣି ଯୋଗୁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଡିମିରିଗୁଡ଼ା ପଞ୍ଚାୟତର ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗତକାଲି ଏଥିରେ ଚିତ୍ର ସୁନାଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଗୁରୁତର ଆକ୍ରାନ୍ତ କ୍ଷିତ ସୁନା ଓ ନୁନୁଗୁଡ଼ା ସୂର୍ଯ୍ୟଙ୍କୁ ଚିକିତ୍ସା ନିମନ୍ତେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ୩ଜଣ ମହିଳା ଆକ୍ରାନ୍ତ ହୋଇ ଗାଁରେ ରହି ଚିକିତ୍ସିତ ହେଉଛନ୍ତି। ଶନିବାର ୨୭ବର୍ଷୀୟ ଚିତ୍ର ସୁନା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ରବିବାର ତାଙ୍କର ମୃତ୍ୟୁ ହୋଇଛି। ଗାଁର ଅନ୍ୟ ଦୁଇ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପ୍ରଥମେ ଅମ୍ବାଦଳା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ରାୟଗଡ଼ା ସ୍ଥାନାନ୍ତର କରାଯାଇଥିଲା। ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ଅମ୍ବାଦଳା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବି.ଚନ୍ଦ୍ରଶେଖରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ସାନ୍ତାନା ପାଲ, ତପନ କୁମାର ବେହେରା ପ୍ରମୁଖ ଗାଁରେ ପହଞ୍ଚିଥିଲେ। ଅସୁସ୍ଥଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ। ଗ୍ରାମବାସୀ ବ୍ୟବହାର କରୁଥିବା ପାଣି ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଛି। ପ୍ରତିଷେଧକ ବ୍ୟବସ୍ଥା ସହ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି।
ଝାଡ଼ାବାନ୍ତି ବ୍ୟାପିବା ପରେ ବ୍ଲକ୍ ପ୍ରଶାସନ ଟ୍ୟାଙ୍କର ଯୋଗେ ଗାଁରେ ଜଳ ଯୋଗାଣ କରୁଛି। ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ କୁମାର ପଣ୍ଡା, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ଗମାଙ୍ଗୋ, ଜିଲ୍ଲା ସ୍ୱାସ୍ଥ୍ୟ ମହାମାରୀ ବିଶେଷଜ୍ଞ ଶ୍ରୀନିବାସ ରାଓ, ଖାଦ୍ୟ ନିରାପତ୍ତା ଅଧିକାରୀ ଜ୍ୟୋତି ପ୍ରକାଶ ସୋରେନ୍, ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଭଟାଙ୍ଗପଦର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଗାଁର ନଳକୂପ କାର୍ଯ୍ୟକ୍ଷମ ହୋଇନଥିବାରୁ ଗ୍ରାମବାସୀ ନଦୀ ତଥା ଚୁଆର ଦୂଷିତ ପାଣିକୁ ବ୍ୟବହାର କରିବା କାରଣରୁ ଝାଡ଼ାବାନ୍ତି ବ୍ୟାପିଛି। ତେଣୁ ତୁରନ୍ତ ନଳକୂପ ତଥା ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଦାବି ହୋଇଛି।