ସମ୍ବଲପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ: ମାସକରେ ଫଇସଲା ୫ ଜଣଙ୍କୁ ଆଜୀବନ

ସମ୍ବଲପୁର: ସମ୍ବଲପୁର ଶାସନ ଥାନା ପୁଲିସ ଗଣଦୁଷ୍କର୍ମ ମାମଲାରେ ଯୁଗାନ୍ତକାରୀୟ ରାୟ ପ୍ରକାଶ ପାଇଛି। ଘଟଣାର ଠିକ୍‌ ମାସକରେ ରେକର୍ଡ ସମୟ ମଧ୍ୟରେ ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି। ସମ୍ବଲପୁର ସ୍ୱତନ୍ତ୍ର ପକ୍‌ସୋ ଅଦାଲତର ଜଜ୍‌ ଉଦୟଭାନୁ ଜେନା ଶାସନ ଛାତ୍ରୀ ଗଣଦୁଷ୍କର୍ମରେ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଅଫଜଲ୍‌ ରାଜା ଓରଫ କାର୍ତ୍ତିିକ, ଟିନୁ ସାହୁ, ହାଡ଼ୁ ପଞ୍ଚବିିହା ଓରଫ କଇରା, ଆଶୀର୍ବାଦ ବେହେରା, ଅଭିଳାଷ ପଞ୍ଚବିହା ପ୍ରମୁଖଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଆଇପିସି ଧାରା ୩୭୬(ବିଏ) ଏବଂ ୪ ଓ ୫ ପକ୍‌ସୋ ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଦଣ୍ଡ ବିଧାନ କରାଯାଇଛି।

ଏହି ମାମଲା ପାଇଁ ଶନିବାର ସାଢ଼େ ୧୪ ଘଣ୍ଟା ପର୍ଯ୍ୟନ୍ତ କୋର୍ଟ ଚାଲିଥିଲା। ସକାଳ ସାଢ଼େ ୭ଟାରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିବା ରାୟ ଶୁଣାଇବା ବେଳକୁ ପ୍ରାୟ ରାତି ୧୦ଟା ହୋଇଯାଇଥିଲା। ଓଡ଼ିଶାର ବିଚାର ବିଭାଗର ଇତିହାସରେ ଏଭଳି ବିଚାର ପ୍ରକ୍ରିୟା ବିରଳ ବୋଲି କୁହାଯାଉଛି। ମାମଲାର ବିଚାର ବେଳେ ୨୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶ୍ୱକଳ୍ପିତା ମହାନ୍ତିଙ୍କ ଶନିବାର ପ୍ରଥମେ ବୟାନ ନିଆଯାଇଥିଲା। ଅଭିଯୁକ୍ତମାନେ ପକ୍ଷ ରଖିବା ପରେ ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ଚାଲିଥିଲା। ରାତି ପ୍ରାୟ ୮ଟାରେ କୋର୍ଟ ମାମଲାର ରାୟ ଶୁଣାଇ ଅଭିଯୁକ୍ତମାନଙ୍କୁ ଦୋଷୀ ସାବସ୍ତ୍ୟ କରିଥିବା ବେଳେ ପରବର୍ତ୍ତୀ ସମୟରେ ଦଣ୍ଡାଦେଶ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଆର୍ତ୍ତତ୍ରାଣ ମିଶ୍ର, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ ପଣ୍ଡା, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ହେରମ୍ବ ଚନ୍ଦ୍ର ଦାନୀ ମାମଲା ପରିଚାଳନା କରୁଥିଲେ। ୪ ଜଣ ଅଭିଯୁକ୍ତଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଝାରସୁଗୁଡ଼ା ଜିଲ୍ଲାର ଓକିଲ ପ୍ରୀତିରଜଂନ ପଟ୍ଟନାୟକ ଏବଂ ସତ୍ୟ ନାରାୟଣ ବହିଦାର ରାୟ ଏକପାଖିଆ ହୋଇଥିବା କହିବା ସହ ହାଇକୋର୍ଟ ଯିବେ ବୋଲି କହିଛନ୍ତି। ଗତ ୨ ମେ ୨୦୧୮ ଜୁନ୍‌ରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଠିକ୍‌ ଏକ ମାସ ପରେ ୨ ଜୁନ୍‌ରେ ଏହି ମାମଲାର ରାୟ ପ୍ରକାଶ ପାଇଛି। ସମ୍ବଲପୁର ପୁଲିସ ଏହି ମାମଲାକୁ ବେଶ୍‌ ଗୁରୁତ୍ୱର ସହିତ ନେଇଥିଲା। ମାମଲା ରୁଜୁ ହେବାର ମାତ୍ର ୧୫ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ମାମଲାର ୧୫ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଏଥି ସହିତ ମାମଲାର ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ପାଇଁ ଜିଲ୍ଲା ବିଚାର ବିଭାଗକୁ ମଧ୍ୟ ନିବେଦନ କରାଯାଇଥିଲା। ପୀଡ଼ିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପୀଡ଼ିତା କ୍ଷତିପୂରଣ ଯୋଜନା-୨୦୧୨ ଅନୁଯାୟୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏସବୁ ସତ୍ତ୍ୱେ ମାନସିକ ଚାପ ଓ ଲୋକଲଜ୍ଜା ଯୋଗୁଁ ଗତ ୨୩ ମେ ଦିନ ପୀଡ଼ିତା ନିଜ ଭଡ଼ାଘରେ ଆତ୍ମହତ୍ୟା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଶାସନ ଥାନା ଅଂଚଳରେ ଏହି ନବମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟାରେ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ବେଳେ ନିଜ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ର କଥାବାର୍ତ୍ତା ପାଇଁ ତାଙ୍କୁ ଅଟକାଇ ଥିଲା। ଆଉ ସେ ଏକାକୀ ଥିବାର ସୁଯୋଗ ନେଇ ଏହି ଛାତ୍ର ଜଣକ ତାଙ୍କୁ ସ୍କୁଲ ବାରଣ୍ଡାକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଠିକ ଏହି ସମୟରେ ସେହି ଅଂଚଳର ଦୁଇ ଜଣ ଯୁବକ ସେଠାରେ ପହଂଚି ପୀଡ଼ିତାଙ୍କୁ ବଦନାମ କରି ଦେବାର ଧମକ ଚମକ ଦେଇଥିଲେ। ଜୋର ଜରବଦସ୍ତ ତାଙ୍କୁ ବାଇକରେ ବସାଇ ଅନ୍ୟ ଏକ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ। ସେମାନଙ୍କଠାରୁ ଖବର ପାଇ ଆଉ ୩ଜଣ ଯୁବକ ମଧ୍ୟ ସେଠାରେ ପହଂଚି ଯାଇଥିଲେ। ଛାତ୍ରୀଙ୍କୁ ୪ଟି ଭିନ୍ନ ଭିନ୍ନ ଜାଗାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଥିଲା। ପୁଲିସ ଏହି ମାମଲାରେ ଜଣେ ନାବାଳକଙ୍କ ସମେତ କାର୍ତ୍ତିିକ, ଟିନୁ ସାହୁ, ହାଡ଼ୁ ପଞ୍ଚବିିହା ଓରଫ କଇରା, ଆଶୀର୍ବାଦ ବେହେରା, ଅଭିଳାଷ ପଞ୍ଚବିହା ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ଗିରଫ ହେବା ଦିନଠାରୁ ଜେଲ୍‌ରେ ରହିଛନ୍ତି। ଅପରପକ୍ଷରେ ନାବାଳକ ଜଣକ ଜୁଭେନାଲ ଜଷ୍ଟିସ ବୋର୍ଡରୁ ଜାମିନରେ ଆସିଛି। ଏପର୍ଯ୍ୟନ୍ତ ତାଙ୍କ ମାମଲାର ବିଚାର ଆରମ୍ଭ ହୋଇନଥିବା ଜଣାପଡ଼ିଛି। ୨୦୧୨ରେ ଭାରତ ସରକାର ପକ୍‌ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ଅନୁଯାୟୀ ଦୁଷ୍କର୍ମ ମାମଲାର ଏକ ବର୍ଷ ଭିତରେ ବିଚାର ପ୍ରିକ୍ରିୟା ସଂପନ୍ନ ହେବା ଜରୁରୀ।

ସମ୍ବନ୍ଧିତ ଖବର