ବାର୍ଦ୍ଧକ୍ୟ ଭତ୍ତାକୁ ଚାହିଁ ଚାହିଁ ଜୀବନ ଗଲା

ଦୁର୍ବିଷହ ଜୀବନ ଜିଉଛନ୍ତି ୨ ଶହ ହିତାଧିକାରୀ

ନୀଳଗିରି: ବୟସର ଅପରାହ୍ନରେ ଭତ୍ତା ଟଙ୍କା ପାଇବା ପାଇଁ ପ୍ରଶାସନକୁ ଅନେକ ଥର ଗୁହାରୀ କରିଥିଲେ। ସ୍ଥାନୀୟ ଜନପ୍ରତିନିଧିଙ୍କୁ ମଧ୍ୟ ଜଣାଇଥିଲେ। ହେଲେ ଭତ୍ତା ମିଳିଲାନି। ଶେଷରେ ଭତ୍ତା ଟଙ୍କାକୁ ଅନେକ ଅନେକ ଜଣେ ଅସହାୟ ବୃଦ୍ଧ‌ା ଆଖି ବୁଜିଲେ। ମୃତକ ହେଲେ ନୀଳଗିରି ବ୍ଲକ୍‌ ପିଠାହତା ପଞ୍ଚାୟତ କୂପସାହି ଗାଁର ଚନ୍ଦ୍ରକାନ୍ତି (୭୬)। ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଉଭୟ ପାଇବାକୁ ଯୋଗ୍ୟ ହୋଇଥିଲେ ବି ତାଙ୍କ ଜୀବଦଶାରେ ଏକଥା ବ୍ଲକ୍‌ ପ୍ରଶାସନକୁ ଦେଖାଗଲାନି।

ସେହିପରି ନୂଆଗାଁର ବୈରା କବାଟ (୭୮), ଶ୍ରୀପତି ଗ୍ରାମର ଦିବ୍ୟାଙ୍ଗ ମହିଳା ରାଧୁମଣୀ ପାତ୍ର (୭୩), ସାନନୂଆଗାଁର କହ୍ନେଇ ନାୟକ (୭୦), ପ୍ରଫୁଲ୍ଲ ନାୟକ (୬୯) ଓ ହରିଶଚନ୍ଦ୍ର କବାଟ (୬୮), ଶ୍ରୀପତି ଗ୍ରାମର ସର୍ବେଶ୍ବର ପାତ୍ର (୬୫), ପରାଶିପାଳ ଗ୍ରାମର ଗଣେଶ୍ବର ନାୟକ (୬୪), ଉପରଡିହା ଗ୍ରାମର ଗଜେନ୍ଦ୍ର ବେହେରା(୬୮)ଙ୍କ ପରି ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ବାବୁମାନଙ୍କ ଅବହେଳା ପାଇଁ ଏମାନେ ଦୁର୍ବିସହ ଜୀବନ ବଞ୍ଚୁଛନ୍ତି। ଭତ୍ତା ଗଣ୍ଡେ କରାଇ ଦେବାପାଇଁ ନେହୁରା ହେବାକୁ କିଏ ଘୁଷୁରି ଘୁଷୁରି ତ’ କିଏ ଛୋଟେଇ ଛୋଟେଇ, ଆଶାବାଡ଼ି ଧରି ପଞ୍ଚାୟତରୁ ବ୍ଲକ୍‌କୁ ଧାଉଁଛି। ଏହି ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ବିଧବା ମହିଳାମାନଙ୍କ ପାଖରେ ଔଷଧ ଟିକେ କିଣିବା ପାଇଁ ବି ପଇସା ନାହିଁ।

ଅନେକ ତ’ ଦୁଇଓଳି ଖାଦ୍ୟମୁଠେ ଯୋଗାଡ଼ କରୁ ପାରୁନାହାନ୍ତି। ନୀଳଗିରି ବ୍ଲକ୍‌ର ବରହମ୍‌ପୁର, ପିଠାହତା, ନରଣପୁର, ଆରବନ୍ଧ ପଞ୍ଚାୟତର ଏମିତି ୨୦୦ରୁ ଅଧିକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସେମାନଙ୍କ କହିବା କଥା ହେଲା; ପ୍ରଶାସନ ତ’ ଆମକୁ ଆଡ଼ଆଖିରେ ଦେଖୁନି, ଯେଉଁମାନଙ୍କୁ ଭୋଟ୍‌ ଦେଇ ନେତା କରିଥିଲୁ ସେମାନେ ବି ଦିନେ ଆମ ପାଇଁ ପ‌ାଟି ଖୋଲୁନାହାନ୍ତି। ଏନେଇ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କୁ ପଚାରିବାରୁ ସେ କହିଲେ; ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଭତ୍ତା ଯୋଗାଇ ଦିଆଯିବ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର