ପୁରୀ : ଗୁରୁବାର ଦିନ ଗୋଟିଏ ପରିବାରର ତିନି ଭାଇଙ୍କ ସମେତ ପ୍ରାୟ ୧୨ ଜଣ ପର୍ଯ୍ୟଟକ ସମୁଦ୍ର ଲହଡ଼ିରେ ଭାସିଯାଉଥିବା ବେଳେ ସେମାନଙ୍କୁ ଲାଇଫ୍ଗାର୍ଡମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ପୁରୀକୁ ପଶ୍ଚିମବଙ୍ଗ ହାଓଡ଼ା ଜିଲ୍ଲା କପୁରଗଳି ଜୟପ୍ରକାଶ ସେଠଙ୍କ ପରିବାର ବୁଲିବାକୁ ଆସିଥିଲେ। ସେମାନେ ଗୁରୁବାର ଅପରାହ୍ନ ସାଢ଼େ ତିନିଟା ସମୟରେ ବେଳାଭୂମିର ୮ ନମ୍ବର ସେକ୍ଟର୍ରେ ଗାଧୋଉଥିବା ବେଳେ ଜୟପ୍ରକାଶ ସେଠଙ୍କ ତିନି ପୁଅ ନିଖିଲ ସେଠ(୨୧), ଆୟୁଷ ସେଠ(୧୯) ୟେସ୍ ସେଠ(୧୭) ସମୁଦ୍ର ଲହଡ଼ିରେ ଭାସିଯାଉଥିଲେ। ଏହି ସମୟରେ ସେଠାରେ ଥିବା ଲାଇଫ୍ଗାର୍ଡମାନେ ଏହି ତିନି ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।
ସେହିପରି ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଙ୍ଗଳକୋର୍ଟ ଥାନା ଅଞ୍ଚଳର ପ୍ରସନଜିତ ଚୌଧୁରୀ(୪୦), ଖଥା ତରଫଦାର(୨୩), ଦିୟା ତରଫଦାର(୧୫) ମଧ୍ୟ ଭାସିଯାଉଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହିପରି ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଚକଧା ଥାନା ଅନ୍ତର୍ଗତ ଚିମାଲି ଗାଁର ସଞ୍ଜୟ ମାଝିଙ୍କ ପତ୍ନୀ ରୁମ୍ପା ମାଝି(୪୦), ରାଞ୍ଜି ହେଲାଲର ନାଗରର ଉଜ୍ବଳ କୁମାର ଖାଲ୍ଖୋ(୨୨), ଓଡ଼ିଶା ବାଲେଶ୍ବର ଜିଲ୍ଲା ଜାମୁଝାଡ଼ିର ପ୍ରଭାତ କୁମାର ପାଣିଗ୍ରାହୀ(୩୬), ଭୁବନେଶ୍ବର ପଟିଆ ପଦ୍ମକେଶରପୁରର ଆଶିଷ ମହାନ୍ତି(୨୨), ଭୁବନେଶ୍ବର ପାଣ୍ଡରାର ମଣ୍ଟୁ ଜେନା(୨୩), ଖୋର୍ଦ୍ଧା ଜିଲ୍ଲା କୁରଜଙ୍ଗର ବିକାଶ ପଣ୍ଡା(୨୪) ମଧ୍ୟ ଲହଡ଼ିରେ ଭାସିଯାଉଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବାରେ ଲାଇଫ୍ଗାର୍ଡମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା।