ବଲାଙ୍ଗୀରରେ ଲାଇଫଲାଇନ ଏକ୍ସପ୍ରେସ

ବଲାଙ୍ଗୀର: ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଲାଇଫଲାଇନ ଏକ୍ସପ୍ରେସ ରେଲୱେ ଷ୍ଟେସନରେ ଆସି ପହଞ୍ଚିଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ରେଳ ବିଭାଗ, ରେଡକ୍ରସ ସୋସାଇଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ହସପିଟାଲ ଟ୍ରେନ୍‌ ଲାଇଫଲାଇନ ଏକ୍ସପ୍ରେସ ଦ୍ୱାରା ମାର୍ଚ୍ଚ ୧୫ ତାରିଖଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ରେଲୱେ ଷ୍ଟେସନଠାରେ ମୋତିଆବିନ୍ଦୁ, ଆଖିର ପାୱାର ଯାଞ୍ଚ, କାନ ପରଦାର ଚିକିତ୍ସା, ଶ୍ରବଣ ଶକ୍ତି ପରୀକ୍ଷା, ଗ୍ରହଣଖଣ୍ଡିଆ, ଅସ୍ଥିଶଲ୍ୟ, କରେକଟିଭ ସର୍ଜରି, ଦାନ୍ତ ସମସ୍ୟା ସଂପର୍କିତ ଅପରେସନ, ପୂର୍ବବର୍ତ୍ତୀ ଯାଞ୍ଚ ତଥା ପରାମର୍ଶ ଏବଂ ଆବଶ୍ୟକ ଅନୁସାରେ ଅପରେସନ କରାଯିବ।

ଏହାସହିତ ମୂକବଧିର, ସ୍ତନ ଓ ଜରାୟୁକର୍କଟ ରୋଗ, ରକ୍ତଚାପ, ମଧୁମେହର ପରୀକ୍ଷା ଓ ପରାମର୍ଶ, ମାର୍କି ରୋଗର ପରାମର୍ଶ ସହ ଚିକିତ୍ସା ଲାଇଫଲାଇନ ଏକ୍ସପ୍ରେସର ଅଭିଜ୍ଞ ଡାକ୍ତର ଓ ଟେକ୍‌ନିସିଆନମାନଙ୍କ ଦ୍ୱାରା ମାଗଣାରେ ଯୋଗାଇ ଦିଆଯିବ। ଜିଲ୍ଲାର ବିଭିନ୍ନ ସିଏଚ୍‌ସି, ରାଷ୍ଟ୍ରୀୟ ବାଲ ସୁରକ୍ଷା କେନ୍ଦ୍ର, ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଚକ୍ଷୁ ବିଭାଗଠାରେ ଉପରୋକ୍ତ ସମସ୍ୟାଗୁଡ଼ିକର ଯାଞ୍ଚ ମାର୍ଚ୍ଚ ୬ ତାରିଖଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରେଫର ହୋଇଥିବା ରୋଗୀମାନଙ୍କର ଅପରେସନ, ପୂର୍ବବର୍ତ୍ତୀ ଯାଞ୍ଚ କରାଯାଇ ଆବଶ୍ୟକ ଅନୁସାରେ ସର୍ଜରି ଲାଇଫଲାଇନ ଏକ୍ସପ୍ରେସରେ କରାଯିବ। ଏ ସବୁ ରୋଗର ସମସ୍ୟା ଥିଲେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପରୀକ୍ଷା କରାଇବା ସହ ବଲାଙ୍ଗୀରଠାରେ ମାଗଣା ଚିକିତ୍ସା ଓ ପରାମର୍ଶ ଯୋଗାଉଥିବା ଲାଇଫଲାଇନ ଏକ୍ସପ୍ରେସର ସୁଯୋଗ ନେବା ପାଇଁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର