ଅନୁଗୁଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲା ଦେଇ ଯାଇଛି ୫୫ ନମ୍ବର ଜାତୀୟ ରାଜପଥ। ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସଡ଼କ ଯୋଗାଯୋଗର ଜୀବନରେଖା ରୂପେ ପରିଚିତ ଏହା ଗାଁ ରାସ୍ତାଠାରୁ ବି କଦର୍ଯ୍ୟ। ନିତି ଏହି ରାସ୍ତାରେ ହଜାର ହଜାର ଗାଡ଼ି ଯାଉଥିଲାବେଳେ ନିୟମିତ ଦୁର୍ଘଟଣା ବି ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। କିନ୍ତୁ କେହି ଶୁଣୁ ନାହାନ୍ତି। କାରଣ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଅଧୀନରେ ଥିବା ଏହି ରାସ୍ତାର ବାଇପାସ୍ ରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଛି। ଫଳରେ ହାତ ଝାଡ଼ି ଦେଇଛି ବିଭାଗ। କାହା ଅଧୀନକୁ ଏହି ରାସ୍ତା ଆସିବ, ତାହା ବି ଚୂଡାନ୍ତ ହୋଇପାରୁନି। ତେଣୁ କେହି ଏହି ରାସ୍ତାର ନିର୍ମାଣ କିମ୍ବା ମରାମତି କରିବାକୁ ଆଗ୍ରହ ଦେଖାଉ ନାହାନ୍ତି।

Advertisment

ଅନୁଗୁଳ ଜିଲ୍ଲାର ଛାତି ଉପରେ ଯାଇଥିବା ଏହି ୫୫ ନମ୍ବର ଜାତୀୟ ରାଜପଥ(ଆଗରୁ ୪୨ନମ୍ବର ଥିଲା) ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ଯୋଡୁଛି। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ଅଧୀନରେ ଥିବା ଏହି ରାସ୍ତା କଟକରୁ ଆରମ୍ଭ ହୋଇ ସମ୍ବଲପୁରରେ ଶେଷ ହେଉଛି। ତେଣୁ ଏହି ରାସ୍ତା ଉପରେ ଅଧା ଓଡ଼ିଶା ନିର୍ଭର କରିଥାଏ। ଅନୁଗୁଳ ସହର ଦେଇ ଯାଇଥିବା ଏହି ରାସ୍ତା ପାଇଁ ସାଂଘାତିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ ଏହାର ଏକ ବାଇପାସ୍ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ବଅଁରପାଳଠାରୁ ରନ୍ତଲେଇ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ଚାଲିଛି। ଆଉ ଏହାପରେ ହିଁ ଆରମ୍ଭ ହୋଇଛି ଅସଲ ସମସ୍ୟା।

ବାଇପାସ୍ ରାସ୍ତା ନିର୍ମାଣ ହେବା ସହ ଏହି ଜାତୀୟ ରାଜପଥକୁ ୪ ଲେନ୍‌ ବିଶିଷ୍ଟ କରାଯାଉଛି। ତେଣୁ ରାସ୍ତା ଏବେ ଜାତୀୟ ରାଜପଥ ପ୍ରାଧିକରଣଙ୍କ ଅଧୀନରେ ରହିବ। ସହର ଦେଇ ଯାଇଥିବା ପୁରୁଣା ରାସ୍ତାକୁ ସେମାନେ ହସ୍ତାନ୍ତର କରିଦେବେ। କିନ୍ତୁ ଏହି ପାଖାପାଖି ୨୧ କିମିର ରାସ୍ତା ହସ୍ତାନ୍ତର ନେଇ ସମସ୍ୟା ଉପୁଜିଛି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ଦିଆଯିବ ବୋଲି ପ୍ରଥମେ କୁହାଯାଇଥିଲା।

ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତା ହସ୍ତାନ୍ତର କରିବା ପ୍ରକ୍ରିୟାରେ ଥିବାରୁ ସେମାନେ ଏହି ପୁରୁଣା ରାସ୍ତାର ରକ୍ଷଣାବେକ୍ଷଣ କରୁନାହାନ୍ତି। ଏପଟେ ଜାତୀୟ ରାଜପଥ କିମ୍ବା ପୂର୍ତ୍ତ ବିଭାଗ ଅଧୀନକୁ ବିଧିବଦ୍ଧ ଭାବେ ରାସ୍ତା ଆସି ନ ଥିବାରୁ ସେମାନେ ଏହାର ନିର୍ମାଣ କି ମରାମତି କରୁନାହାନ୍ତି। ଆଉ ଏହାର ଫଳ ଭୋଗୁଛନ୍ତି ଜିଲ୍ଲାବାସୀ। କେବଳ ଅନୁଗୁଳବାସୀ ନୁହନ୍ତି, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ହଇରାଣ ହେଉଛନ୍ତି।

ଏଥିନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ, ଏହି ରାସ୍ତା ହସ୍ତାନ୍ତର ପ୍ରକ୍ରିୟା ଚାଲିଛି। ବର୍ଷା କମିବା ପରେ ରାସ୍ତା ମରାମତି ଆରମ୍ଭ ହେବ।