ଜଗନ୍ନାଥପ୍ରସାଦ : ଜ୍ୟେଷ୍ଠ ସରି ଆଷାଢ଼ ଆସନ୍ନ। ତଥାପି ମୌସୁମି ବର୍ଷାର ଦେଖା ନାହିଁ। ଅଖିମୁଠି ଅନୁକୂଳ ପରେ ଧାନ ଓ ତଳିବୁଣା ସରିଯିବା କଥା। ହେଲେ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳି ପରିସ୍ଥିତିରେ ବିକଳ୍ପ ଭାବେ ଭୂମିକା ନିର୍ବାହ କରୁଥିବା ଘାଇ ଓ ଜଳାଶୟ ମଧ୍ୟ ଶୁଖିଲା ପଡ଼ିବା ଚାଷୀ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ୍‌ରେ। ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ଜୀବନରେଖା ଭାବେ ପରିଚିତ ଲଙ୍କାଗଡ଼ ଘାଇ ନିଅଣ୍ଟିଆ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପ୍ରଭାବରେ ବର୍ତ୍ତମାନ ଶୁଖିଲା ପଡ଼ିଥିବାରୁ ଚାଷ କାମ କେମିତି ତ୍ବରାନ୍ବିତ ହେବ ଏହି ଚିନ୍ତା ଘାରିଛି।

Advertisment

ଲଙ୍କାଗଡ଼ ଘାଇର ଜଳଧାରଣା କ୍ଷମତା ହେଉଛି, ୧୨୬.୫ ମିଟର। ଘାଇର ବାମ ଓ ଡାହାଣ ପାର୍ଶ୍ବରେ ଦୁଇଟି କେନାଲ୍ ରହିଛି। ପୂର୍ବପଟ କେନାଲ୍‌ରୁ ପ୍ରବାହିତ ପାଣିରେ ଜଗନ୍ନାଥପ୍ରସାଦ, ଡୁଙ୍ଗାପଲ୍ଲୀ, ଜଗନ୍ନାଥପାଟଣା, ଚାରିକୋଣିଆ, ଶାସନ ଓ ଆଜ୍ଞାପ୍ରସାଦ ଅଞ୍ଚଳର ପ୍ରାୟ ୪୦୦ ଏକର ଜମିକୁ ଜଳସେଚିତ ହୋଇଥାଏ। ଦକ୍ଷିଣପଟ କେନାଲ୍‌ ମାଧ୍ୟମରେ ପାଇକସାହି, କଇଠପଲ୍ଲୀ, ଇନ୍ଦ୍ରଗଡ଼ ଓ ଚୋପ୍ରା ଅଞ୍ଚଳରେ ଥିବା ପ୍ରାୟ ୩୦୦ ଏକର ଜମିକୁ ପାଣି ମିଳିଥାଏ। କେବଳ ସେତିକି ନୁହେଁ, ଘାଇର ଅବଶିଷ୍ଟ ପାଣି ଦକ୍ଷିଣପଟ କେନାଲ୍‌ରେ ପ୍ରବାହିତ ହୋଇ କିଛି ଦୂରରେ ଥିବା ଅରୁଣାଞ୍ଚଳ ଘାଇର ଜଳଧାରଣ କ୍ଷମତାକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଯଦ୍ବାରା ଗ୍ରୀଷ୍ମରେ ପରିବା ଚାଷୀ ଉପକୃତ ହୋଇଥାନ୍ତି। ‌ମୋଟ‌ାମୋଟି ଭାବେ କହିବାକୁ ଗଲେ ବ୍ଲକ୍‌ର ୮୦ ପ୍ରତିଶତ ଚାଷୀ ଲଙ୍କାଗଡ଼ ଘାଇ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ। ଏହାସହ ଲଙ୍କାଗଡ଼ ଓ ଅରୁଣାଞ୍ଚଳ ଘାଇକୁ ମାଛଚାଷ ପାଇଁ ଜଗନ୍ନାଥପ୍ରସାଦ ପଞ୍ଚାୟତ ଲିଜ୍ ପାଇଁ ଦେଇ ବାର୍ଷିକ ଲକ୍ଷାଧିକ ଟଙ୍କା ରାଜସ୍ବ ପାଇଥାଏ।

ତେବେ ଏଥର ନିଅଣ୍ଟିଆ ବର୍ଷା ସାଙ୍ଗକୁ ଖରା ସବୁ ବିଗାଡ଼ି ଦେଇଛି। ଘାଇ ପୂରାପୂରି ଶୁଖିଲା ପଡ଼ିଥିବା ସହ ବିଭିନ୍ନ ସ୍ଥାନରେ ଅନାବନା ଗଛ ମଧ୍ୟ ଉଠିଯାଇଥିବା ଦେଖିବାକୁ ମିଳିଛି। ଏପରିକି କେନାଲ୍‌ ଗେଟ୍ ପାଖକୁ ଜଳ ପହଞ୍ଚିପାରୁନି। ସ୍ଥିତି ଏମିତି ହୋଇଛି ଯେ, ଦିନେ ଯେଉଁଠି ପାଣି ଲହଡ଼ି ଭାଙ୍ଗୁଥିଲା, ବର୍ତ୍ତମାନ ସେଠାରେ ବଗ ପାଦରେ ବୁଲି ମାଛ ଖୋଜୁଥିବା ଦେଖିବାକୁ ମିଳିଛି।  ଲଙ୍କାଗଡ଼ ଘାଇର ପାଣି ମୁଖ୍ୟତଃ ଏହି ସମୟରେ ଚାଷୀଙ୍କ ପାଇଁ ସାହାରା ପାଲଟୁଥିବା ବେଳେ ଆଷାଢ଼ରେ ଧାନ ରୁଆ ପୂର୍ବରୁ ଏଠାରୁ ପାଣି ନେଇ ଚାଷୀ ତଳି ବଞ୍ଚାଇଥାଏ। କିନ୍ତୁ ଏଥର ଘାଈର ଏଭଳି ଦୁରବସ୍ଥାକୁ ଦେଖି ଚାଷୀ ମୁଣ୍ଡରେ ଯେମିତି ଭାଳେଣି ପଡ଼ିଛି।

publive-image

ଲଙ୍କାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ମିଶ୍ର କହିଛନ୍ତି, ଗତବର୍ଷ ଅଧିକ ବର୍ଷା ହୋଇଥିବା ବେଳେ ପାଣି ମଧ୍ୟ ଅଧିକ ଥିଲା। ହେଲେ ହଠାତ୍ କିଛି ଅସାମାଜିକ ଲୋକ କେନାଲ୍‌ ଗେଟ୍‌ରେ ଲାଗିଥିବା ଚାବିଚାମ୍ବର୍‌କୁ ଭାଙ୍ଗି ଲୁହାପ୍ଲେଟ୍ ଗୁଡ଼ିକୁ ନେଇଯାଇଛନ୍ତି। ଯେତେବେଳେ ଯିଏ ଚାହିଁଲା, ସିଏ ଗେଟ୍‌କୁ ଖୋଲି ଦେବା କାରଣରୁ ଅନାବଶ୍ୟକ ଭାବେ କେନାଲ୍‌ରେ ପାଣି ପ୍ରବାହିତ ତଳମୁଣ୍ଡରେ ଥିବା ନଦୀକୁ ଚାଲିଗଲା। ବିଭାଗ ପକ୍ଷରୁ ବହୁବାର ଗେଟ୍ ବନ୍ଦ କରାଯାଉଥିଲେ ଏହାକୁ ଖୋଲାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଜଳ ସଂରକ୍ଷଣ ହୋଇପାରୁନି। ଆଉ ବର୍ତ୍ତମାନ ଆବଶ୍ୟକ ବେଳେ ଚାଷୀ ହତାଶ ହୋଇଛନ୍ତି। ଘାଇର ଭିତିରିଆ ଇଲାକା ବର୍ତ୍ତମାନ ଗୋରୁଗାଈଙ୍କ ଚରାଭୂମି ପାଲଟିଛି ବୋଲି ସେ କହିଛନ୍ତି।