ଭର୍ଚୁଆଲ୍‌ ଟୁର୍‌ରେ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ

ଭୁବନେଶ୍ୱର : ଆସନ୍ତାକାଲି (ରବିବାର) ଦର୍ଶକମାନେ ଘରେ ବସି ରାଜ୍ୟ ଜନଜାତି ସଂଗ୍ରହାଳୟର ଭର୍ଚୁଆଲ୍‌ ଭିଜିଟ୍ କରିପାରିବେ। ଦର୍ଶକମାନେ ଫେସବୁକ୍‌ କିମ୍ବା ଟ୍ବିଟର୍‌ରେ @scstrti, @stscdec ଖୋଲି ଜନଜାତି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତିମାନଙ୍କ ଜୀବନ‌େଶୈଳୀ ଓ ସଂସ୍କୃତି ସମ୍ପର୍କରେ ଧାରଣା ପାଇପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି।

ଅଗଷ୍ଟ ୧ ତାରିଖରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକଙ୍କୁ ଏହି ସଂଗ୍ରହାଳୟର ଭର୍ଚୁଆଲ ଭିଜିଟ୍‌ କରାଯାଉଛି। ଏହି କ୍ରମରେ ଆସନ୍ତାକାଲି ରାଜ୍ୟର କୋରାପୁଟ, ମାଲକାନଗିରି, ଓ ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଥିବା ‘ଗଦବା’ ଜନଜାତିଙ୍କ ବାସଗୃହ, ସେମାନଙ୍କ ଜୀବନଶୈଳୀ, ପୂଜା ଉପାସନା, ଢେମସା ନୃତ୍ୟ ଓ ପୋଷାକ ତଥା ଅଳଙ୍କାର ବିଷୟରେ ଭିଡିଓ ଜରିଆରେ ପ୍ରଦର୍ଶିତ ହେବ। ସେହିପରି ଅନ୍ୟ ଏକ ଭିଡିଓ ମାଧ୍ୟମରେ ଦର୍ଶକମାନେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନାଗିରିରେ ବସବାସ କରୁଥିବା ‘ଭୋତଡ଼ା’ ଜନଜାତି ସମ୍ପର୍କ‌‌‌ରେ ସମ୍ୟକ୍‌ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର