ଭିମ୍‌ସାରର ୪ ମହଲା ବିଶିଷ୍ଠ ନୂଆ ମେଡିସିନ୍‌ ୱାର୍ଡରେ ପାଣି ଓ ଲିଫ୍ଟ ସମସ୍ୟା ଯୋଗୁଁ ରୋଗୀ ହନ୍ତସନ୍ତ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ଦୀର୍ଘ ୪ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିଥିବା ନୂତନ ମେଡିସିନ୍‌ ୱାର୍ଡକୁ ଗତ ୧୦ ତାରିଖରେ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଯେଉଁ ଅସୁବିଧା ପାଇଁ ଏହି ୱାର୍ଡକୁ ରୋଗୀ ସ୍ଥାନାନ୍ତର ହେଉନଥିଲା ସେହି ଅସୁବିଧା ପୁଣିଥରେ ଦେଖାଦେଇଛି। ଗୁରୁବାରଠାରୁ ଏହି ୪ ମହଲା ବିଶିଷ୍ଠ ନୂତନ କୋଠାର ଦୁଇଟି ଯାକ ଲିଫ୍ଟ ଅଚଳ ହୋଇ ପଡ଼ିବା ପରେ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଟଣା ସମ୍ପର୍କରେ ବୁର୍ଲା ପୂର୍ତ୍ତ ବିଭାଗ ଏସ୍‌ଡିଓ ଏସ୍‌.କେ.ମୁସ୍ତାକଙ୍କୁ ଯୋଗାଯୋଗ କରାଯିବାରେ ଲିଫ୍ଟରେ କିଛି ଫ୍ୟୁଜ ହୋଇଯାଇଥିବାରୁ ତାହା ଅଚଳ ହୋଇଯାଇଥିବା କହିଥିଲେ। ତେବେ ଲିଫ୍ଟ ମରାମତି ପାଇଁ ମେକାନିକ୍‌କୁ ମଧ୍ୟ କୁହାଯାଇଛି ଓ ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଥିଲେ। ଗୋଟିଏ ପଟେ ରୋଗୀ ସଚେତନ ହେଉନଥିବାରୁ ଲିଫ୍ଟ ବାରମ୍ବାର ଅଚଳ ହେଉଥିବା ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ସଫେଇ ଦିଆଯାଉଥିବା ବେଳେ ନିମ୍ନମାନର କାମ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି।

୪ ବର୍ଷ ହେବ ଭିମ୍‌ସାରର ଏହି ୪ ମହଲା ବିଶିଷ୍ଠ ନୂଆ ମେଡିସିନ୍‌ ୱାର୍ଡ ନିର୍ମାଣ ହୋଇଥିବା ସତ୍ତ୍ବେ ପାଣି ଓ ଲିଫ୍ଟ ସମସ୍ୟା ଯୋଗୁଁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉନଥିଲା। ମାତ୍ର ପୁରୁଣା ମେଡିସିନ୍‌ ୱାର୍ଡରେ ରୋଗୀଙ୍କ ଭିଡ଼ ଲାଗି ରହୁଥିବାରୁ ବରିଷ୍ଠ ଆବାସିକ ଓ କନିଷ୍ଠ ଆବାସିକ ଡାକ୍ତରମାନେ ବାରମ୍ବାର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ମହଲତ ଦେଇ ତୁରନ୍ତ ସମସ୍ତ ମରାମତି କାର୍ଯ୍ୟ କରି ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। ଏହି ଧାରାରେ ଗତ ୧୦ ତାରିଖରେ ସମସ୍ତ ମରାମତି କରାଯିବା ପରେ ନୂତନ ମେଡିସିନ୍‌ ୱାର୍ଡକୁ ରୋଗୀ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଏହି କୋଠାରେ ନିମ୍ନମାନର କାମ ହୋଇଥିବାରୁ ସବୁବେଳେ ପାଣି ଜମାଟ ବାନ୍ଧି ଲିଫ୍ଟ ମଧ୍ୟରେ ଥିବା ମେସିନ୍‌ ଫ୍ୟୁଜ ହୋଇଯାଉଛି ଓ ଲିଫ୍ଟ ଅଚଳ ହେଉଛି। ତେବେ କିଛି ଦିନ ରୋଗୀ ଏହି ୱାର୍ଡର ବ୍ୟବହାର କରିବା ପରେ ପୁଣିଥରେ ଅନୁରୂପ ସ୍ଥିତି ଦେଖାଦେଇଛି। କୋଠାର କାନ୍ଥଗୁଡ଼ିକରେ ପାଣି ଜମାଟ ବାନ୍ଧି ରହୁଥି‌ବା ସମୟରେ କିଛି ସ୍ଥାନରୁ ପାଣି ମଧ୍ୟ ଝରୁଥିବା ଦେଖିବାକୁ ମିଳୁଛି।

ଅପରପକ୍ଷେ, ରୋଗୀ ସଚେତନ ହେଉନଥିବା ଲିଫ୍ଟ ଅଚଳ ହେବାର ଅନ୍ୟତମ କାରଣ ବୋଲି କୁହାଯାଉଛି। କେତେକ ରୋଗୀ ରାତି ସମୟରେ ଲିଫ୍ଟ ଭିତରେ ହିଁ ପରିସ୍ରା କରିଦେଉଥିବାରୁ ଏଥିରେ ଥିବା ବ୍ୟାଟେରି ମଧ୍ୟ ପୋଡ଼ି ଯାଉଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ଏହାବାଦ୍‌ ଶୌଚାଳୟରେ ଲାଗିଥିବା ପାଣି ଟ୍ୟାପ୍‌ ଗୁଡ଼ିକୁ ଲୋକେ ଖୋଲି ନେଉଥିବାରୁ ରାତିତମାମ୍‌ ପାଣି ବାହାରୁଛି ଓ ଲିଫ୍ଟରେ ଜମା ହୋଇ ରହୁଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର