ଦୁର୍ଗମ ଅଞ୍ଚଳରେ ଜଳସେଚନ ସୁବିଧା ଉପଲବ୍ଧ ଉପରେ ଗୁରୁତ୍ବ

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ କନ୍ଧମାଳ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ବର : ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଯୁବପିଢ଼ି କୃଷିର ଉନ୍ନତିକୁ ଏକ ବିପ୍ଳବ ଭାବେ ନେଇ ଏହାକୁ ଲାଭଜନକ ଶିଳ୍ପରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଳସେଚନ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଦୁର୍ଗମ ଅଞ୍ଚଳରେ ଥିବା ଚାଷ ଜମିରେ କିପରି ଜଳସେଚନ ସୁବିଧା ଉପଲବ୍ଧ ହେବ, ସେଥି ପାଇଁ ଉଠା ଜଳସେଚନ ନିଗମ ସମସ୍ତଙ୍କ ସହଭାଗିତାରେ ଏହାର ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିବ ବୋଲି ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ କହିଛନ୍ତି।

ଶ୍ରୀ ପତ୍ରୀ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ବାଲିଗୁଡ଼ା ଓଏଲ୍‌ଆଇସି ସବ୍‌ ଡିଭିଜନ୍ ଓ ଫୁଲବାଣୀ ଡିଭିଜନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗସ୍ତ କରି ବିଭିନ୍ନ ବ୍ଲକ୍‌ରେ ଥିବା ଗଭୀର କୂପ, ରିଭର୍‌ ଲିଫ୍ଟ, ମାଇକ୍ରୋ ରିଭର୍‌ ଲିଫ୍ଟ ପ୍ରକଳ୍ପ ବୁଲି ଦେଖିଥିଲେ। ନିଗମ ଦ୍ବାରା ଚାଷୀମାନେ କିପରି ଅଧିକ ସୁଫଳ ପାଇପାରିବେ, ସେ ବିଷୟରେ ଶ୍ରୀ ପତ୍ରୀ କୃଷକମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ମହିଳା ଚାଷୀମାନେ ମଧ୍ୟ ପ୍ରକଳ୍ପର ସୁବିନିଯୋଗ କରି ସ୍ବାବଲମ୍ବୀ ହୋଇଥିବା ପରିଦର୍ଶନ ସମୟରେ ସେ ଦେଖିବାକୁ ପାଇଥିଲେ। ସମୀକ୍ଷା ସମୟରେ ଅଧ୍ୟକ୍ଷଙ୍କ ସହ ଓଏଲ୍‌ଆଇସି ଅଧୀକ୍ଷଣ ଯନ୍ତ୍ରୀ ନିରଞ୍ଜନ ପ୍ରଧାନ, ଫୁଲବାଣୀର ନିର୍ବାହୀ ଯନ୍ତ୍ରୀ ରୁଦ୍ର ପ୍ରସାଦ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ନାୟକ ଓ ସହକାରୀ ଯନ୍ତ୍ରୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ୫-ଟି ଆଧାରରେ ନିଗମର ସମସ୍ତ କାର୍ଯ୍ୟକୁ ଆନ୍ତରିକତାର ସହ ସମ୍ପାଦନ କରିବା‌ ପାଇଁ ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଶ୍ରୀ ପତ୍ରୀ ପରାମର୍ଶ ‌େଦଇଥିଲେ।

ସମ୍ବନ୍ଧିତ ଖବର