ଭୁବନେଶ୍ବର ଉଠା ଜଳାସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ କଟକ ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପବିଭାଗଗୁଡ଼ିକୁ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ସଂପୃକ୍ତ ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ୨୦୧୯-୨୦ ଆର୍ଥିକ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ଅବସରରେ ଶ୍ରୀ ପତ୍ରୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ କଟକ ସଦର, ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଓ କ୍ଲଷ୍ଟର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ସଂପୃକ୍ତ ଅଞ୍ଚଳର କୃଷକଙ୍କ ସହ ଆଲୋଚନା କରିଥିଲେ। କଟକ ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ସମେତ କଟକ ଜିଲ୍ଲା ଅନ୍ତର୍ଗତ ସମସ୍ତ ନିର୍ବାଚନ ମଣ୍ଡଳୀର ଅନ୍ୟ ସମସ୍ତ ବିଧାୟକଙ୍କ ପ୍ରତିନିଧିମାନେ ଯୋଗଦେଇ ସମସ୍ତ ପ୍ରକଳ୍ପକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ କଟକ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ପବିତ୍ର ପରିଡ଼ାଙ୍କ ସମେତ ସମସ୍ତ ଏସ୍‌ଡିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଯୋଗଦେଇଥିଲେ।