ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଡିଭିଜନ୍ କାର୍ଯ୍ୟାଳୟ ପରିଦର୍ଶନ

ଭୁବନେଶ୍ବର : ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ବ ଦେଇ ଜଳସେଚନକୁ ଅଗ୍ରାଧିକାର ଦେଉଛନ୍ତି। ତେଣୁ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସମସ୍ତ ନୂଆ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ସମୟସୀମା‌ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଓଡ଼ିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ‌ଦେଇଛନ୍ତି। ଭୁବନେଶ୍ବର ଏଲ୍‌ ଆଇ ଡିଭିଜନ୍‌ କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ଶ୍ରୀ ପତ୍ରୀ ଏହି ନ‌ିର୍ଦ୍ଦେଶ ଦେବା ସହ ଡିଭିଜନ୍ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଡିଭିଜନ୍‌ର ପ୍ରତ୍ୟେକ ଉପବିଭାଗ ପରିଦର୍ଶନ କରିବା ସହ କାର୍ଯ୍ୟାଳୟ ପରିସରରେ ଥିବା ପାଣି ପମ୍ପ ଟେଷ୍ଟିଂ ପରୀକ୍ଷାଗାର ବୁଲି ଏହାର ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ। କୃଷକମାନେ ଯେପରି ଗୁଣାତ୍ମକ ଓ ଉପଯୁକ୍ତ ଦକ୍ଷତା ରଖୁଥିବା ପାଣି ପମ୍ପସେଟ୍‌ ପାଇପାରିବେ, ତାହାକୁ ଗୁରୁତ୍ବ ଦେଇ ପମ୍ପସେଟ୍‌ଗୁଡ଼ିକର ଲାବ୍‌ ଟେଷ୍ଟ ଉପରେ ଅଧ୍ୟକ୍ଷ ଗୁରୁତ୍ବାରୋପ କରିଥିଲେ।

ଗତ ଫନି ବାତ୍ୟାରେ ପୁରୀ ଜିଲ୍ଲାର ଅଧିକାଂଶ ଉଠା ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିଲା। ସଂପୃକ୍ତ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ମରାମତି ଆବଶ୍ୟକ କରୁଥିବା ତଥା ନୂଆ ପ୍ରକଳ୍ପଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ପତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ନିଗମର ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାଦ୍ରି ଶେଖର ରାୟ, ଭୁବନେଶ୍ବର ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସ୍ବାଇଁ, ପିପିଲି ଉପଖଣ୍ଡର ସହକାରୀ ଯନ୍ତ୍ରୀ ନିମାଇଁ ଚରଣ ବେହେରା, ଖୋର୍ଦ୍ଧା ଉପଖଣ୍ଡର ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମାଝୀ, ଭୁବନେଶ୍ବର ଉପଖଣ୍ଡ ସହକାରୀ ଯନ୍ତ୍ରୀ ନିରଞ୍ଜନ ସ୍ବାଇଁ ଓ ସହକାରୀ ଯନ୍ତ୍ରୀ(ମେକାନିକାଲ୍‌) ହିମାଂଶୁ ଶେଖର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର