କେନ୍ଦୁଝର, ଯାଜପୁରରେ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜ୍ କେନ୍ଦୁଝର ଓ ଯାଜପୁର ଜିଲ୍ଲା ଗସ୍ତ କରି ନିଗମର ହିତାଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେନ୍ଦୁଝରରେ ସେ ହିତାଧିକାରୀମାନଙ୍କୁ ଜଳନିଧି -୨ ଯୋଜନାରେ ହେବାକୁ ଥିବା କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ଯାନ୍ତ୍ରିକ ସରଞ୍ଜାମ ବଣ୍ଟନ କରିଥିଲେ। କେନ୍ଦୁଝର ସଦର ଉପକଣ୍ଠରେ ଥିବା ପଦ୍ମପୁର ପଞ୍ଚାୟତର ଦାବାଙ୍କ ଠାରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ସେଠାରେ ହିତାଧିକାରୀମାନଙ୍କ ସହିତ ପ୍ରକଳ୍ପ ଦ୍ୱାରା କେମିତି ସେମାନେ ଲାଭବାନ ହେଉଛନ୍ତି, ସେ ବିଷୟରେ ଆଲୋଚନା କରିଥିଲେ।

ତାହା ପରେ ଯାଜପୁର ଜିଲ୍ଲା କାର୍ଯ୍ୟାଳୟରେ ହିତାଧିକାରୀ ଚାଷୀମାନଙ୍କୁ ଜଳନିଧି -୨ ଯୋଜନାରେ ହେବାକୁ ଥିବା କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ଯନ୍ତ୍ରାଂଶ ବଣ୍ଟନ କରିଥିଲେ। ସରକାରଙ୍କ ରିହାତି ଯୋଜନାରେ ଜଣେ ହିତାଧିକାରୀଙ୍କୁ ଗୋଟାଏ ସୋନାଲିକା ଟ୍ରାକ୍ଟର ବଣ୍ଟନ କରାଯାଇଥିଲା। ଜିଲ୍ଲା କୃଷି ଶିଳ୍ପ ନିଗମ ଅଧୀନରେ ଥିବା ସମସ୍ତ ସାର ବ୍ୟବସାୟୀ , ଟ୍ରାକ୍ଟର ଯୋଗାଣକାରୀ ଏବଂ ପଞ୍ଜୀକୃତ ଠିକାଦାରମାନଙ୍କ ସହିତ କୃଷି ଶିଳ୍ପ ନିଗମ ଦ୍ୱାରା କେମିତି ଅଧିକରୁ ଅଧିକ ଚାଷୀ ସରକାରଙ୍କ ଯୋଜନାରେ ଚାଲୁଥିବା ସମସ୍ତ ରିହାତି କାର୍ଯ୍ୟକ୍ରମରେ ଲାଭ ପାଇ ପାରିବେ, ସେ ବିଷୟରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର