ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ତ ସୋ ଭେଳିକି: ବର୍ଷା, ବ୍ୟାରିକେଡ୍‌ ନାଁରେ ବନ୍ଦ ରହୁଛି ସୋ’

ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ସମ୍ବଲପୁର : ମା ସମଲେଶ୍ବରୀ ମନ୍ଦିରର ଲାଇଟ୍ ଓ ସାଉଣ୍ଡ ସୋ’କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୂର୍ବରୁ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଏହା ସମ୍ବଲପୁରର ଇତିହାସ, ଐତିହ୍ୟ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରଂପରା ଉପରେ ଆଧାରିତ ହୋଇଥିଲାବେଳେ ଏହାର କଥାବସ୍ତୁ, ରଂଗିନ ଆଲୁଅ, ଶବ୍ଦ ଆଦି ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା। କିନ୍ତୁ ଏହି ସୋ’କୁ ନେଇ ଏବେ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ଲାଇଟ୍‌ ଓ ସାଉଣ୍ଡ୍‌ ସୋ’ କେବେ ଚାଲୁଛି, କେବେ ବନ୍ଦ ରହୁଛି ତାହା ପର୍ଯ୍ୟଟକମାନେ ଜାଣିପାରୁ ନାହାନ୍ତି। ଓଟିଡିସିର ମନମୁଖି ପରିଚାଳନା ପାଇଁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ବର୍ଷା, ବ୍ୟାରିକେଡ୍‌ ନାଁରେ ସୋ’କୁ ଅଚାନକ ବନ୍ଦ କରିଦିଆଯାଉଛି। ଯାହାର ସାମାନ୍ୟ ସୂଚନା ମଧ୍ୟ ଦିଆଯାଉ ନାହିଁ। ଯେଉଁ କାରଣରୁ ଏହି ସୋ’ ଦେଖିବା ପାଇଁ ଆସୁଥିବା ଦର୍ଶକମାନେ ନିରାଶ ହୋଇ ଫେରୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍‌ଟେମ୍ବର ୧୧ ତାରିଖ ନୂଆଁଖାଇ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହି ସୋ’ର ଉଦ୍‌ଘାଟନ କରିଥିଲେ। କିନ୍ତୁ କେତେକ ବିବାଦୀୟ ଦୃଶ୍ୟ କାରଣରୁ ଏହାର ବିରୋଧ ହୋଇଥିଲା। ଫଳରେ ଏହାକୁ ପୁନଃସଂପାଦିତ କରାଯାଇ ଏକାଧିକ ଦୃଶ୍ୟକୁ ବାଦ ଦିଆ ଯାଇଥିଲା। ଗତ ମେ’ ୯ ତାରିଖରୁ ଏହା ପୁନଃ ଆରମ୍ଭ ହୋଇଥିଲା ଏବଂ ପରିଚାଳନା ଦାୟିତ୍ବ ଓଟିଡିସିକୁ ଦିଆଯାଇଥିଲା। ଓଟିଡିସିର ଦେବାଶିଷ ସାହଙ୍କ ସୂଚନା ଅନୁଯାୟୀ, ମେ’ ଓ ଜୁନ ସ୍ବାଭାବିକ ଭାବେ ସୋ’ ଜାରି ରହିଥିଲା। ତେବେ ବର୍ଷା ହେବାରୁ ଜୁଲାଇ ୧୫ ଦିନ ଓ ଅଗଷ୍ଟରେ ମାତ୍ର ୭ ଦିନ ସୋ’ ଚାଲିଥିଲା। ଏହି ସମୟରେ ଦୈନିକ ହାରାହାରି ୨୫ ଜଣ ଦର୍ଶକ ଏହି ସୋ’ ଦେଖୁଥିଲେ। ଅନେକ ଦିନ ବର୍ଷା କାରଣରୁ ଲୋକଙ୍କୁ ଟଙ୍କା ଫେରା ଯାଇଥିବା ମଧ୍ୟ ଶ୍ରୀ ସାହୁ କହିଥିଲେ।

Nitter

ଅନ୍ୟପଟେ ମା’ ସମଲେଶ୍ବରୀଙ୍କ ନବରାତ୍ର ଆରମ୍ଭ ହୋଇସାରିଥିବା ବେଳେ ପ୍ରତିଦିନ ହଜାର ହଜାର ଭକ୍ତ ମନ୍ଦିରକୁ ଆସୁଛନ୍ତି। ମା’ ଧବଳମୁଖୀ ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା। କିନ୍ତୁ ଏହି ସମୟରେ ମଧ୍ୟ ‘ଲାଇଟ୍‌ ଓ ସାଉଣ୍ଡ ସୋ’ ବନ୍ଦ ରହିଛି। ବ୍ୟାରିକେଡ୍‌ ଲଗାଯାଇଥିବାରୁ ସୋ’କୁ ବନ୍ଦ କରିଦିଆଯାଇଥିବା କହାଯାଇଛି। ତେବେ ୩୭ ମିନିଟ୍‌ର ସୋ’ ପାଇଁ ଟିକଟ୍ ମୂଲ୍ୟ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ୩୦ ଟଙ୍କା ଏବଂ ଅନ୍ୟ ସମସ୍ତଙ୍କ ପାଇଁ ୫୦ ଟଙ୍କା ରହିଛି। ଗୋଟିଏ ସୋ’ ୨୦୦ ଜଣ ଦର୍ଶକ ଦେଖିପାରିବେ। ଯଦି ଅଧିକ ଚାହିଦା ହେବ ତା’ହେଲେ ଆଗାମୀ ଦିନରେ ଦିନକୁ ୨ଟି ଲେଖାଏଁ ସୋ’ କରାଯିବ ବୋଲି ଏହାର ପରିଚାଳନା ଦାୟିତ୍ବରେ ଥିବା ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ଅବ୍ୟବସ୍ଥା କାରଣରୁ ଏବେ ଗୋଟିଏ ସୋ’ରେ ମଧ୍ୟ ଦର୍ଶକ ହେଉ ନାହାନ୍ତି।

ସମ୍ବନ୍ଧିତ ଖବର